ଦାନବୀର ରାଜା ହରିଶ୍ଚନ୍ଦ୍ର

ଦାନବୀର ରାଜା ହରିଶ୍ଚନ୍ଦ୍ର ବା

ଧର୍ମ ବିଶ୍ୱାମିତ୍ର କଳି ଗୀତାଭିନୟ

ବାଳକୃଷ୍ଣ ମହାନ୍ତି

 

ପ୍ରସ୍ତାବନା

ନଟ

ଆହା ! ଜଗତରେ କେତେ ଆଶ୍ଚର୍ଯ୍ୟକର ଘଟଣା ଘଟିଗଲାଣି, ପୁରାଣ ପାଠ କଲେ ଏକ ଏକ ମହାତ୍ମାଙ୍କର ଚରିତ ଭାବି ହୃଦୟ ଏକାବେଳକେ ଦୁଃଖ ଓ ସୁଖ ସାଗରରେ ଭାସିଯାଏ । ଚିନ୍ତା, ବୁଦ୍ଧି, କର୍ତ୍ତବ୍ୟ ସମସ୍ତ ରୁଦ୍ଧ ହୋଇ ଜଡ଼ପରି ସ୍ତବ୍‍ଧ ହେବାକୁ ପଡ଼େ । ପରିଶେଷରେ ନିଜର ଜୀବନକୁ ଅସାର ମଣି ଆତ୍ମାକୁ ଧିକ୍‍କାରି ସଂସାରରେ ଜନ୍ମହେବା ଅକାରଣ ବୋଲି କହିବାକୁ ପଡ଼େ ।

ନଟୀ

ନାଥ ! ଏ କି ବିପରୀତ ଭାବ । ଆଜି ଏଡ଼େ ବଡ଼ ମହୋତ୍ସବରେ କୌଣସି ଦୃଶ୍ୟ କାବ୍ୟର ଅଭିନୟ ସନ୍ଦର୍ଶନ ନିମିତ୍ତ ସମାଗତ ଭଦ୍ରମଣ୍ଡଳୀ ଉପବିଷ୍ଟ ।

ନଟ

ପ୍ରିୟେ ! ସଂସାରର ଅନିତ୍ୟତା ସମ୍ୱନ୍ଧେ ଭାବୁ ଭାବୁ ଭାବନା ସମୁଦ୍ରରେ ମଗ୍ନ ହୋଇଥିଲି, ତେବେ ବର୍ତ୍ତମାନ ଏହି ସଭା ସମକ୍ଷରେ କେଉଁ ଚରିତ ଆଲୋଚନା କଲେ ଭଲ ହେବ ?

ନଟୀ

ନାଥ ! ଆପଣ ଗତ ରାତ୍ରରେ ଯେଉଁ ଦେବେନ୍ଦ୍ରଙ୍କ ଶାପପ୍ରାପ୍ତ ଅପ୍‍ସରାମାନଙ୍କର ମୁକ୍ତିଦାତା ଅଯୋଧ୍ୟାପତି ସତ୍ୟସନ୍ଧ ଦାନବୀର ରାଜା ହରିଶ୍ଚନ୍ଦ୍ର ଗୀତି ନାଟ୍ୟଟି ପାଠ କରି ଶୁଣାଉଥିଲେ ଆଜି ସେହି ଚରିତ ଅଭିନୟ କରି ସଭ୍ୟଗଣଙ୍କୁ ସନ୍ତୁଷ୍ଟ କରନ୍ତୁ ।

ନଟ

ହଉ, ଆଜିକା ଉତ୍ସବକୁ ଲକ୍ଷ୍ୟ କରି ଗୋଟିଏ ସଙ୍ଗୀତ ଗାନ କରି ସେମାନଙ୍କର ବିରସ ହୃଦୟକୁ ସରସ କର । ମୁଁ ଯାଇ ନାଟ୍ୟଶାଳାର କାର୍ଯ୍ୟ ଶେଷ କରେ ।

ନଟୀ

ଗୀତ

ଚାହାଁଲୋ ସଜନୀ            ଏ ସୁଖ ରଜନୀ

କି ଆନନ୍ଦେ ଆଜି ମାତି ଉଠୁଛି ଧରା

ମଦନ- ମୋହନ            ଶୋଭା ମଣି ବିମାନ

ଚନ୍ଦନ ଯାତେ ଆଜି ହୋଇ ବିଭରା ।

ତ୍ରିଭଙ୍ଗୀ ଛନ୍ଦେ ଉଭା            କୋଟି କନ୍ଦର୍ପ ଆଭା

ଅଷ୍ଟରତ୍ନ ଶୋଭା                  ରବି ଗଞ୍ଜୁଛି କିବା

ପ୍ରେମୀଜନ ମନଲୋଭା ପ୍ରେମପସରା ।

 

ମୁରଲୀ ଅଧରା                  ଶ୍ରୀଚରଣ ପରା

ଦୀନହୀନ ବାଳକୃଷ୍ଣ ହୁଏ ଅଧୀରା ।

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ନାରଦ

(ବୀଣାହସ୍ତେ ପ୍ରବେଶ) ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତେ !

ଇନ୍ଦ୍ର

(ଉପବେଶନ ଓ ସମ୍ମୁଖରେ ଅପ୍‍ସରାମାନଙ୍କର କରଯୋଡ଼ି ଆଣ୍ଠୁ ମାଡ଼ି ବସିବା ।)

 

(ସ୍ୱଗତ) ଆହା ! କି ମଧୁର ବୀଣାର ସ୍ୱର, ତହିଁରେ ସେହି ହରି ଗୁଣାବଳି କୀର୍ତ୍ତନ ଶୁଣାଯାଉଛି । ବୋଧହୁଏ ମହର୍ଷି ନାରଦ ଆସୁଛନ୍ତି ପରା । (ସଭାକୁ ଚାହିଁ ପ୍ରକାଶ୍ୟେ) ସମସ୍ତେ ସାବଧାନ ଥାଅ, ଯେପରି ମହର୍ଷିଙ୍କର କୌଣସି ଅବମାନନା ନ ଘଟେ ।

ନାରଦ

(ପ୍ରବେଶି ଆଶୀର୍ବାଦ ପୂର୍ବକ ଉପବେଶନ)

ଇନ୍ଦ୍ର

ମହାମୁନେ ! ଆଜି ସୁଧର୍ମା ଭାଗ୍ୟବତୀ; କିପରି ଏ ଅଧୀନ ମନେ ପଡ଼ିଲା ।

ନାରଦ

ଦେବେନ୍ଦ୍ର ! ବର୍ତ୍ତମାନ ତୁମ୍ଭର ଦାନବ ଭୟ ଘଟି ନାହିଁ ତ ?

ଇନ୍ଦ୍ର

ନା ନା, ଆପଣଙ୍କ ଶୁଭାଶୀର୍ବାଦ ଓ ମୋ କନିଷ୍ଠ ଉପେନ୍ଦ୍ରଙ୍କ ବାହୁବଳ ଅମରାବତୀକୁ ନିଶ୍ଚିନ୍ତ ରଖିଛି ।

ନାରଦ

ତେବେ ସଭା ନୃତ୍ୟଗୀତାଦି ଶୂନ୍ୟ କାହିଁକି ?

ଇନ୍ଦ୍ର

ମହର୍ଷେ ! ପାପିୟସୀ ଗଣଙ୍କର ଚରିତ୍ର ବଡ଼ କଳୁଷିତ ହୋଇଗଲାଣି । ଏପରି ଅପ୍‍ସରା ଦେବସଭାର ଅନୁପଯୁକ୍ତ। । ଏଣୁ ଏମାନେ ମର୍ତ୍ତରେ ପାପ

ହୃଦୟକୁ ଚରିତାର୍ଥ କରିବା ନିମିତ୍ତ ଅଭିଶପ୍ତା ।

ଅପ୍‍ସରାଗଣ

(କୃତାଞ୍ଜଳିପୁଟେ) ସୁରରାଜ ! କ୍ଷମ ଅଧୀନା ଅନାଥ ଅବଳାଙ୍କ ଦୋଷ, ଧରୁଅଛୁ ଶ୍ରୀଚରଣ କର ଆମ୍ଭଙ୍କୁ ତାରଣ ।

ଇନ୍ଦ୍ର

ନା ନା, ତୁମ୍ଭମାନଙ୍କୁ କ୍ଷମା ଦିଆଯିବ ନାହିଁ । ତେବେ ଏତିକି କହୁଛି ମହାତପା ବିଶ୍ୱାମିତ୍ରଙ୍କ ତପୋବନରେ ରତିକୁଳ

ଜାତ ଶରଣପଞ୍ଜର ସତ୍ୟବାନ୍‍ ହରିଶ୍ଚନ୍ଦ୍ରଙ୍କ ଦର୍ଶନ ବ୍ୟତୀତ ତୁମ୍ଭମାନଙ୍କର ମୁକ୍ତିଲାଭ ନାହିଁ ।

ନାରଦ

ଦେବେନ୍ଦ୍ର ! ମୁଁ ମଧ୍ୟ ଏଇଥି ନିମିତ୍ତ ଏଠାକୁ ଆସିଥିଲି । ରାଜା ହରିଶ୍ଚନ୍ଦ୍ର ବଡ଼ ଧାର୍ମିକ । ବିଶ୍ୱାମିତ୍ର କପଟରେ ତାକୁ ରାଜ୍ୟଚ୍ୟୁତ କରାଇ ତାଙ୍କର ଆତ୍ମ ବିକ୍ରୟ ପର୍ଯ୍ୟନ୍ତ କରାଇବ, ଯଦି ତଦ୍ଦ୍ୱାରା ସେ ଲାଞ୍ଛିତ ହୁଏ ତ ଆଉ ଆଶା ବଳାଇବା ନାହିଁ ।

ଇନ୍ଦ୍ର

ତେବେ ବର୍ତ୍ତମାନ କ’ଣ କରଣୀୟ ।

ନାରଦ

ବୈଶ୍ୱାନର ! ତୁମ୍ଭେ ଧର୍ମୀର ଧର୍ମ ଜାଜ୍ୱଲ୍ୟମାନ କରିବା ନିମିତ୍ତ କାଶୀ ନଗରୀରେ ମାଧବ ଶର୍ମା ନାମ ଧାରଣ କର । ରାଜା ହରିଶ୍ଚନ୍ଦ୍ରଙ୍କର ସ୍ତ୍ରୀ ଓ ପୁତ୍ର ଆପଣଙ୍କଠାରେ ଆଶ୍ରୟ ଗ୍ରହଣ କରିବେ ।

ଇନ୍ଦ୍ର

ତେବେ ରାଜା ହରିଶ୍ଚନ୍ଦ୍ରଙ୍କ ଅବସ୍ଥା କ’ଣ ହେବ ?

ନାରଦ

ସ୍ୱୟଂ ଧର୍ମଦେବ ଯାଇ କାଶୀ ନଗରୀରେ ଶ୍ମଶାନରକ୍ଷକ ହାଡ଼ିରୂପରେ ଅବତୀର୍ଣ୍ଣ ହୁଅନ୍ତୁ । ସେ ରାଜାଙ୍କ ଆଶ୍ରୟ ଦାତା ହେବେ । ତହୁଁ ବିଶ୍ୱାମିତ୍ର ପରାଜୟ ସ୍ୱୀକାର କରିବେ ।

ଇନ୍ଦ୍ର

ତେବେ ଆଜି ଏତିକିରେ ସଭା ଭଙ୍ଗ ହେଉ ।

 

ଦ୍ୱିତୀୟ ଦୃଶ୍ୟ

ବିଶ୍ୱାମିତ୍ର

ଦେବତାମାନଙ୍କର ଏଡ଼େ ଆସ୍ପର୍ଦ୍ଧା, ଏଡ଼େ ଅହଙ୍କାର, ଏଡ଼େ ଦର୍ପ କାହିଁକି ? ଚଣ୍ଡାଳ ଯଜ୍ଞ କଲା ତ କଲା, ତୁମ୍ଭମାନଙ୍କର କ’ଣ ଗଲା । ମୋର ଯେଉଁଠାରେ ଉପସ୍ଥିତ ସେଠାକୁ ତୁମ୍ଭେମାନେ ଗଲେ ଅପମାନ । ମୁଁ କିଏସେ ତୁମ୍ଭେମାନେ ଜାଣ ନାହିଁ । କ୍ଷତ୍ରିୟ ବଂଶରେ ଜନ୍ମଗ୍ରହଣ କରି ଆପଣା ତପୋବଳଦ୍ୱାରା ସ୍ୱୟଂ ବ୍ରାହ୍ମଣ ହେଲି । ମୋର ତପ ପ୍ରଭାବଦ୍ୱାରା ତ୍ରିଶଙ୍କୁଙ୍କୁ ସଶରୀରେ ବଳପୂର୍ବକ ସ୍ୱର୍ଗକୁ ପଠାଇଲି । ସେହି ତପ ପ୍ରଭାବରୁ ବଶିଷ୍ଠଙ୍କ ଶତପୁତ୍ର ଯମପୁରକୁ ଗଲେ ଆଚ୍ଛା, ଥାଉ ସବୁ କଥା ବୁଝିବା । ବ୍ରହ୍ମା, ବିଷ୍ଣୁ, ଶିବଙ୍କ କଥା ତ ତପସ୍ୟା ବଳରେ କ’ଣ ନ ହୁଏ । ବ୍ରହ୍ମା ତ କେବଳ ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି, ଶିବ ଲୟ କରନ୍ତି । ମୁ ଏଥର ମହାତପସ୍ୟା କରି ତ୍ରିବିଦ୍ୟା ସାଧନ କରିବି । ଏକାକେ ସୃଷ୍ଟି, ସ୍ଥିତି, ଲୟ କରିବି, ଧର୍ମ କାହିଁ ଧର୍ମର ମର୍ଯ୍ୟାଦା ବା କାହିଁ, ଧାର୍ମିକର ଅଗ୍ରଗଣ୍ୟ ସେ ଚଣ୍ଡାଳ ମୋପରି ହୋତାଦ୍ୱାରା ଯଜ୍ଞ କରାଇଲା, ଧର୍ମର ପୁଣି ଏଡ଼େ ପ୍ରଭାବ ଯେ ତାହାର ଯଜ୍ଞ ପୂର୍ଣ୍ଣ ହେଲା ନାହିଁ, ଧର୍ମ ନାହିଁ, ଧର୍ମ ନାହିଁ, ଧର୍ମ ମିଥ୍ୟା ।

ଧର୍ମ

କିଏ କହିଲା ଧର୍ମ ନାହିଁ ।

ବିଶ୍ୱା

ମୁଁ କହୁଛି ମୋତେ ଚିହ୍ନି ନାହଁ ।

ଧର୍ମ

ବେଶ୍‍ ଚିହ୍ନେ ! ଚିହ୍ନେ ବୋଲି ତ ଆସିଲି । ଆପଣ ମୁହଁରେ ଆପଣା ଗୁଣ କୀର୍ତ୍ତନ କଲେ ମୋ ପ୍ରାଣରେ ବଡ଼ ଆଘାତ ଲାଗେ । ସେଥିଲାଗି ସାବଧାନ କରିଦେବାକୁ ଆସିଲି । ଆଜିଯାଏ ତୁମ୍ଭେ ଧର୍ମ ପ୍ରଭାବ ଜାଣିପାରିନାହିଁ, ଧର୍ମ ପ୍ରଭାବ ନଥିଲେ ତୁମ୍ଭେ କ୍ଷତ୍ରିୟ କୁଳରେ ଜନ୍ମହୋଇ କ’ଣ ବ୍ରାହ୍ମଣ ହୋଇପାରିଥାନ୍ତ ନା ବଶିଷ୍ଠଙ୍କ ଶତ ପୁତ୍ରକୁ ବିନାଶ କରି ପାରିଥାନ୍ତ ।

ବିଶ୍ୱା

ନା ଚଣ୍ଡାଳ ଯଜ୍ଞ ପଣ୍ଡକରି ପାରିଥାନ୍ତ ନା ତ୍ରିଶଙ୍କୁକୁ ଅଧା ସ୍ୱର୍ଗରେ ରଖାଇଥାନ୍ତ କହ କହ ।

ଧର୍ମ

ଧର୍ମ ଥିଲା ବୋଲି ଚଣ୍ଡାଳ ଯଜ୍ଞ କରି ପାରିଲା ନାହିଁ । ତ୍ରିଶଙ୍କୁ ବି ସ୍ୱର୍ଗକୁ ଯାଇପାରିଲା ନାହିଁ ।

ବିଶ୍ୱା

ଭଲ କଥା ପୁରୁଷର ପ୍ରଧାନ ଧର୍ମ ଦାନ, ସ୍ତ୍ରୀମାନଙ୍କର ପ୍ରଧାନ ଧର୍ମ ସତୀତ୍ୱ ଏ କଥା ତ ସ୍ୱୀକାର କର । ତୁମ୍ଭର ଏପରି ମହିମା ଯେ ଯେଉଁ ବଳିରାଜା ସର୍ବସ୍ୱ ଦାନ କଲା ସେ ଗଲା ପାତାଳକୁ । ଚାଚକ ମୁନି କେବେ ମୁଠାଏ ଛତୁଆ ଦାନ କରିଥିଲା ବୋଲି ସେ ଯାଇ ଅକ୍ଷୟ ସ୍ୱର୍ଗବାସ ଲାଭକଲା ।

ଧର୍ମ

କୈଶିକ ! କ୍ରୋଧ ସଂଯତ କର, କ୍ରୋଧ ତପସ୍ୱୀମାନଙ୍କର ଭୂଷଣ ନୁହେଁ । ମୁଁ ଦେଖୁଛି, କ୍ରୋଧ ହେତୁ ତୁମ୍ଭେ ହିତାହିତ ଜ୍ଞାନଶୂନ୍ୟ, ଟିକିଏ ବୁଝ ।

ବିଶ୍ୱା

ଥାଉ ସେ କଥା, ଆଉ ବୁଝିବା ଆବଶ୍ୟକ ନାହିଁ ।

ଧର୍ମ

ଆଚ୍ଛା ଅଚିରେ ବୁଝାଇ ଦେବି, ମୋର ଅସ୍ତିତ୍ୱ ତୁମ୍ଭଦ୍ଵାରା ପ୍ରଚାରିତ ହେବ । ନିଶ୍ଚୟ ଜାଣ, ସୂର୍ଯ୍ୟ ଯେତେଦିନ ପୂର୍ବାକାଶରେ ଉଦିତ ହେଉଥିବେ ସୁମେରୁ ପର୍ବତରେ ଦେବତାମାନେ ଯେତେକାଳ ପର୍ଯ୍ୟନ୍ତ ବାସ କରୁଥିବେ ଜଗତପ୍ରାଣ ସମୀରଣ ଯେତେକାଳ ଯାଏ ଧରାଧାମରେ ସଞ୍ଚରିତ ହେଉଥିବ, ତେତେଦିନ ମୋର ଅସ୍ତିତ୍ୱ ଲୋପ ପାଇବ ନାହିଁ । ଜଗତରେ ମୋର ଅସ୍ତିତ୍ୱ ମୋର ପ୍ରଭାବ ତୁମ୍ଭେ ଅଚିରେ ମର୍ମେ ମର୍ମେ ବୁଝିପାରିବ ।

ବିଶ୍ୱା

ଆହେ ବୁଝିବା ଆବଶ୍ୟକ ନାହିଁ । ତ୍ରିବିଦ୍ୟା ସାଧନ ଏକମାତ୍ର ଉପାୟ ।

 

ତୃତୀୟ ଦୃଶ୍ୟ

(ହରିଶ୍ଚନ୍ଦ୍ର, ବିଦୁଷକ, ନର୍ତ୍ତକୀ ।)

ରାଜା

ଆଜି ରାଣୀଙ୍କର ଦେଖୁଛି, ଦୁର୍ଜ୍ଜୟମାନ, ଏକେତ ରାଣୀ ମାନିନୀ ପୁଣି କାଲି ରାତ୍ରରେ ଖବର ପର୍ଯ୍ୟନ୍ତ ଦିଆଯାଇନାହିଁ । ଆଜି ଆଉ ରକ୍ଷା ନାହିଁ, ଦେଖୁଛି କଥାର ସୂତ୍ରପାତ ଶୁଣିଲଣି ବୟସ୍ୟ । ଚାଲ ଉଆସ ଆଡ଼କୁ ଯିବା, କାଲି ରାତ୍ରିରେ ରାଣୀ ବାସକସଜ୍ଜା କରିଥିଲେ । ମୁଁ ଉଆସ ଆଡ଼କୁ ଯାଇପାରି ନଥିଲି, କଣ କପାଳରେ ଅଛି କେଜାଣି । ବୋଧହୁଏ ଭାରି ଅଭିମାନରେ ଥିବେ ।

ବିଦୁ

ଏକେତ ନିଆଁ, ତହିଁ ସଙ୍ଗରେ ପୁଣି ସୁଲୁସୁଲିଆ ବାଆ, ମହାରାଜ ! ଆଉ ବିଳମ୍ୱ କାହିଁକି ? ଚାଲନ୍ତୁ ଆପଣଙ୍କର ଫଳାହାର ମୋର ମଧ୍ୟ ତଦ୍ରୂପ, ତେବେ ଆମର ପେଶା ଦାରୀ ପ୍ରେମ, ଆଉ ଆପଣଙ୍କ ପେଶା ସଉକିନି ପ୍ରେମ, ମନଟା ମଧ୍ୟ ସଉକିନି । ମୁଁ କାଲି ଯାଇଁ ଦେଖେଁ ଯେ ମୁହଁଟା ଯେପରି ଧାନଉସୁଆଁ ହାଣ୍ଡି । ଆପଣ ଯାଇ ଦେଖିବେ ମୁହଁଟା ଯେପରି କମଳକଢ଼ି, ମୋ ଉପରେ ହେଲା ହସ୍ତଛଡ଼ି ପ୍ରହାର, ଆପଣଙ୍କ ଉପରେ ହେବ ଫୁଲଛଡ଼ି ପ୍ରହାର; କିନ୍ତୁ ଦଶା ଦୁହିଁଙ୍କର ସମାନ । ଯାହା ହେଉ ମୁଁ ଏକପ୍ରକାର ଥଣ୍ଡାକରି ଆସିଛି, ଏ ଏକି ?

 

(ଦୂତ ପ୍ରବେଶ)

ରାଜା

କି ସମ୍ୱାଦ ?

ଦୂତ

ବନଚର ରାଜା ବାଣଭଦ୍ର ସେ ଆପଣଙ୍କ ଚରଣ ଦର୍ଶନ ପ୍ରାର୍ଥନା କରୁଛନ୍ତି ।

ରାଜା

ଆଚ୍ଛା, ତାଙ୍କୁ ଏଠାକୁ ଆସିବାକୁ କହ ।

ବିଦୁ

ମହାରାଜା ! ନାଁ ଟା ଶୁଣୁ ଶୁଶୁ ଛାତିଟା ଦାଉକିନା ହେଲା ।

ରାଜା

ନାମଟି ତ ବେଶ୍‍ ବାଣଭଦ୍ର ।

ବିଦୁ

ନା ମହାରାଜ ! ସେଟା ନାମରେ ଭଦ୍ର; କିନ୍ତୁ କାର୍ଯ୍ୟବେଳେ ମଙ୍ଗଳବାର ।

ରାଜା

ମଙ୍ଗଳବାର କିପରି ?

ବିଦୁ

ମଙ୍ଗଳବାର, ନାମଟି ଉତ୍ତମ; କିନ୍ତୁ ଏହି ବାରରେ ସବୁ ଅମଙ୍ଗଳଯାକ ଘଟେ । ଏ ମଙ୍ଗଳବାରରେ ମଲେ ଏକ ପାଦ ଦୋଷ । ମଙ୍ଗଳବାର ଯାତ୍ରା ନିଷେଧ, ଗୃହ ପ୍ରବେଶ ନିଷେଧ ।

ବାଣଭଦ୍ର

ମହାରାଜ ଅବଧାନ ।

ରାଜା

ଆପଣଙ୍କର ସମସ୍ତ ମଙ୍ଗଳ ତ ?

ବାଣଭଦ୍ର

ଆରେ ନାହିଁରେ ରାଜା; ଆରେ ଗୋଟାଏ ବୋରା ଆସିଛି; ତାକୁ କେହି ନାଶ କରିପାରୁନାହିଁ, ଗାଁକୁ ଗାଁ ନାଶ କରୁଛି । ତୁ ଚାଲେ ତାକୁ ଜଳଦି ମାରିଦେ, ଆଜି ତୁ ଚାଲ, ମୁଁ ତୋତେ ସାଥିରେ ନେଇ ଯିବାକୁ ଆସିଛି । ଭାରି ବୋରା ମହାରାଜ । ତା’ ଠାରୁ ଆଉ ଘିଉ ଫାଟି ବାହାରିଛି, ତୋର ଦଶଟା ବାପର ସିରାଧ ହେବ ।

ରାଜା

ବୟସ୍ୟ ! ଦେଖିଲ ଆଉ ଏକ ବ୍ୟାଘାତ ଉପସ୍ଥିତ । ମହାରାଣୀ ସାରା ରାତି ଉତ୍କଣ୍ଠାରେ କାଳଯାପନ କରିଛନ୍ତି, ଆଜି ସକାଳେ ତାଙ୍କର ମଦନ ପୂଜା । ଦେଖୁଛି, ମୁଁ ଉପସ୍ଥିତ ରହିପାରିବି ନାହିଁ । ପ୍ରଜା ଉପରେ ଉତ୍ପାତ, ମୁଁ କୌଣସିମତେ ରହିପାରିବି ନାହିଁ ।

ବିଦୁ

ଆପଣ ନିଜେ ନ ଗଲେ ହେଲା, ନୌକରମାନଙ୍କୁ ପଠାଇ ଦିଅନ୍ତୁ ।

ବାଣଭଦ୍ର

ଆରେ ସେ ବୋରା ନାରେ ଏତେ ବଡ଼ ଦାନ୍ତ ଆଉ କେହି ପାରିବେ ନାହିଁ । ତୁ ଚାଲରେ ରାଜା ଚାଲେ ।

ରାଜା

ଆଚ୍ଛା, ତୁମ୍ଭେ ଚାଲ ମୋର ରଥ ସଜିତ କରିବାକୁ କହ ।

ବାଣଭଦ୍ର

ଭଲା ତୁ ଆ ।

ରାଜା

ବୟସ୍ୟ ! ତୁମ୍ଭେ ମଧ୍ୟ ସଙ୍ଗରେ ଯିବାକୁ ପଡ଼ିବ ।

ବିଦୁ

ଆଲୋ ବାପ ଲୋ, ଏ ପୁଣି କଣ ? ମୁଁ ପୁଣି କାହିଁକି ଯିବି ? ବ୍ରାହ୍ମଣ ପିଲା, ଦିନରାତି ବିଦ୍ୟା ଅବିଦ୍ୟା ଚର୍ଚ୍ଚା କରୁଛି । ଭୋଜନ କରି ଲୋକମାନଙ୍କର ତେର ପୁରୁଷ ଉଦ୍ଧାର କରୁଛି, ଆଉ ଅସ୍ତ୍ର ଶିକ୍ଷା ତ କେବେ କରି ନାହିଁ ।

ରାଜା

ଆହେ ନାହିଁ ହେ, ତୁମ୍ଭଙ୍କୁ ଅସ୍ତ୍ର ଧରିବାକୁ ପଡ଼ିବ ନାହିଁ ।

ବିଦୁ

ମହାରାଜ ! ଖାଇବା କଥା ?

ରାଜା

ଖାଦ୍ୟ ସାମଗ୍ରୀ ଆମ୍ଭ ସଙ୍ଗରେ ଯିବ, ଆଉ ବି ବନରେ ଯଥେଷ୍ଟ ଫଳ ମୂଳ ଅଛି ।

ବିଦୁ

ବଣରେ !

ରାଜା

ମୃଗୟା କଣ ପ୍ରମୋଦକାନନରେ ହେବ କି?ନା ଅନ୍ତଃପୁର ମଧ୍ୟରେ ହେବ ।

 

ଚତୁର୍ଥ ଦୃଶ୍ୟ

(ଶୈବ୍ୟା ଓ ସଖିଗଣ)

ଶୈବ୍ୟା

(ଗୀତ) କାହିଁକିରେ ସହି, ବିହି ଦେଲା ନାରୀ ଜନମ, ଆନ ସଙ୍ଗେ ଖଞ୍ଜ ରଙ୍ଗେ ଭୋଗାଉଛି କଷଣ ।

୧ମସଖି

ତରୁ ନ ଥିଲେ ଲତା ଶୋଭା କି ଦିଶୁଥାନ୍ତା ।

୨ୟ

ଶୁଣାଉ ଅଛୁ ସହି ଏ କେଉଁ ନୂଆକଥା

୨ୟ

ଘଟିଲା କିବା କଥା ଫେଡ଼ି କହ ମରମ ।

ଶୈବ୍ୟା

ସଖି ! ଦୁନିଆରେ ନାରୀ ଜନ୍ମଠାରୁ ଆଉ ହୀନଜନ୍ମ ନାହିଁ । ବିଧାତା କାହିଁକି ଜନ୍ମ ଦେଉଥିଲା ଯେବେ ଜନ୍ମ ଦେଲା ତେବେ ପୁରୁଷ ସଙ୍ଗରେ ସମ୍ପର୍କ ରଖିଲା କାହିଁକି ?

୧ମ

ସଖି ! ଦେଖିଲ ଏ ମାଧବୀ ଲତାଟି ତରୁଲାଗି ସିନା ଏଡ଼େ ଶୋଭା ଦେଖାଯାଉଛି । ତରୁ ନଥିଲେ ଲତା କାହାଠାରେ ଆଶ୍ରୟ ନିଅନ୍ତା ।

ଶୈବ୍ୟା

ସଖି ! ଯେବେ ପୁରୁଷ ସ୍ତ୍ରୀର ଆଶ୍ରୟଦାତା ତେବେ ଫୋପାଡ଼ି ଦିଏ କାହିଁକି ? କାଲି ଯେଉଁ ମର୍ମାହତ ଯନ୍ତ୍ରଣା ଭୋଗ କରିଛି ତୁମ୍ଭେମାନେ ଜାଣ ତ

୧ମ

ହଁ ଜାଣିଛ, ସଖି ଆଉ ଗୋଟିଏ କଥା

 

ଗୀତ

୧ମ

ପୁରୁଷ ଭାବ ଅଳି ଜାଣରେ ପ୍ରିୟ ଆଳି

୨ୟ

ନୂଆ

ନୂଆରେ ଭଳି ପୁରୁଣା ଯାନ୍ତି ଭୁଲି ।

୩ୟ

ନ ହୁଅ ମନେ ଭାଳି ବାଳୀ ପୋଡ଼ା କରମ ।

୧ମ

ସଖି ! ନୂଆ ନୂଆ ବେଳେ କଥା ଅଲାଗା ପୁରୁଣା ହେଲେ ସେକଥା ଥାଏ କି । (ସଖିମାନେ ପ୍ରସ୍ଥାନ)

 

(ରୋହିତ ପ୍ରବେଶ)

ରୋହିତ

ମା, ଆଚାର୍ଯ୍ୟଙ୍କଠାରୁ ଚମତ୍କାର କଥା ଶୁଣି ଆସିଲି

ଶୈବ୍ୟା

କି କଥା ବାବୁ !

ରୋହିତ

ପରଶୁରାମ ବୋଲି ଜଣେ ବ୍ରାହ୍ମଣ ସମସ୍ତ ପୃଥିବୀ ଜୟକରି କଶ୍ୟପ ଋଷିଙ୍କୁ ଦାନ କରିଥିଲେ ।

ଶୈବ୍ୟା

ବାପ ! ଦାନଠୁ ବଳି ଶ୍ରେଷ୍ଠଧର୍ମ ଏ ଜଗତରେ ଆଉ କିଛି ନାହିଁ ।

ରୋହିତ

ଆଚ୍ଛା ମା ! ସବୁ ପୃଥିବୀଟି ତ ଦାନ କଲେ, ରହିଲେ କେଉଁଠି ?

ଶୈବ୍ୟା

ଧନୁର ଅଗ୍ରଭାଗଦ୍ୱାରା ଦକ୍ଷିଣ ସମୁଦ୍ରକୁ ଘୁଞ୍ଚାଇ ଦେଇ ସେଇଠି କୁଟୀର ନିର୍ମାଣ କରି ରହିଥିଲେ ।

ରୋହିତ

ମା, ସେ ଆଚ୍ଛା ଲୋକ, ତେବେ ବାପା କାହିଁକି ସେପରି ସବୁ ପୃଥିବୀ ଦାନ କରୁନାହାନ୍ତି, ମୁଁ ବାଣମାରି ସମୁଦ୍ରକୁ ଘୁଞ୍ଚାଇ ଦେବି । ଆର୍ଯ୍ୟ ପରଶୁରାମଙ୍କ କଥା ଶୁଣିଲାବେଳକୁ ମୋ ମନରେ କିପରି ହିଂସା ହେଉଛି, ସେ ବ୍ରାହ୍ମଣ ହୋଇ ସର୍ବସ୍ୱ ଦାନ କଲେ, ଆମେ ପାରିବା ନାହିଁ । ଆମେ ତ କ୍ଷତ୍ରିୟ ।

ଶୈବ୍ୟା

ହଁ ବାପ, ଦାନ କରିବୁ (ସ୍ୱଗତ) ଆହା ଏହି ବୟସରୁ ଏପରି ଧର୍ମର ପ୍ରବୃତ୍ତି, ଜଗଦୀଶ୍ୱର ପୂର୍ବ ଜନ୍ମର କେତେ ପୁଣ୍ୟବଳରୁ ମୋତେ ଏ ଅକଳଙ୍କ ଚନ୍ଦ୍ରମାଟି ଦେଇଛନ୍ତି । ପ୍ରଭୁ, ଆପଦ ବିପଦରେ ମୋର ପୁତ୍ରକୁ ରକ୍ଷା କରନ୍ତୁ, ଚାଲେ ବାପ ଭୋଜନ କରିବୁ ଚାଲେ ।

 

ଦ୍ୱିତୀୟ ଅଭିନୟ

ପ୍ରଥମ ଦୃଶ୍ୟ

କାମାନ୍ଧକ

ଶିବ ତପସ୍ୟାବେଳେ ନନ୍ଦି ଭ୍ରୂକୁଟୀ ଦୁଇ ଜଣ ପହରା ଦେଉଥିଲେ । ପ୍ରଭୁଙ୍କ ତପସ୍ୟାବେଳେ ମୁଁ ଏକାକେ ଦୁଇଜଣ ଚୁପ୍‍ ଚୁପ୍‍ ହେ ଗଛ ଦୋହଲୁଛୁ କିଆଁ, ହେ ହରିଣ ଆସ୍ତେ ଆସ୍ତେ ଯା । ବାବାଜୀ ଗୋଟିଏ ଅଦ୍ଭୁତ ବ୍ୟାପାର ନକରି ଛାଡ଼ିବ ନାହିଁ, ବାବାଜୀର ଇଚ୍ଛା ଏକାକେ ବ୍ରହ୍ମା, ବିଷ୍ଣୁ, ଶିବ ହେବେ, ମନ୍ନବଳରେ ତିନିଟା ଚଣ୍ଡୀ କି ଚାମଣ୍ଡୀ ପାଖକୁ ଆସିଛନ୍ତି, ଆଉଦିନେ ଦି’ଦିନ ଯେବେ ଭଲରେ ଯାଏ ତେବେ ସିଦ୍ଧି, ଆଚ୍ଛା ମୁଁ ଯେ ତା’ର କାମ କରିଛି ମୋ କଥା କଣ କିଛି ବିଚାର କରିବେ ନାହିଁ । ସତେ କିଛି ନାହିଁ କିଛି ଗୋଟିଏ ବିଚାର କରିଦେବେ

କଣ ହେବି, ସୂର୍ଯ୍ୟ ନାହିଁ ଲୋ ବାପ, ସାରାଦିନ ବୁଲିବି, ୟା ତ ହେବ

ନାହିଁ । ଆଚ୍ଛା ଇନ୍ଦ୍ର ହେବା, ପ୍ରଚୁର ପରିମାଣରେ ପାରିଜାତ ଗଳାରେ ଲମ୍ୱିବ, ଐରାବତ ଚଢ଼ି ବୁଲିବାକୁ ହେବ, ନନ୍ଦନ କାନନରେ ସୁରଭି ସୈବାଳ ଦଳ ଉପରେ ଲମ୍ବହୋଇ ଶୋଇ ପଡ଼ିବି । ପୁଣି ଅପ୍‍ସରାମାନଙ୍କର ଗୀତ ଶୁଣିବି କିନ୍ତୁ ଗୋଟିଏ ବ୍ୟାଘାତ ଅଛି, ସହସ୍ର ଲୋଚନଟି ବାଦ୍‌ଦେଇ ଇନ୍ଦ୍ର ହେବାକୁ ହେବ, ବ୍ରାହ୍ମଣ କପାଳ ତ କୁଆଡ଼େ ଯିବ ନାହିଁ ଏ କିଏ ଆସୁଛି

ଆସୁ ।

ସାରଥି

ପ୍ରଣାମ ।

କାମ

ଚୁପ୍‍ ଚୁପ୍‍ ଆଶୀର୍ବାଦ ସର୍ବନାଶଂ ।

ସାରଥି

ଚମତ୍କାର, ଆଶୀର୍ବାଦ, ଆଛା କହିପାରିବେ ଆମ୍ଭର ମହାରାଜ ଏଣିକି ଆସିଛନ୍ତି କି ?

କାମ

ତୁମ୍ଭ ମହାରାଜ କିଏ ?

ସାରଥି

ଆପଣ ଆମ୍ଭ ମହାରାଜାଙ୍କୁ ଚିହ୍ନନ୍ତି ନାହିଁ ?

କାମ

କଣ କରିବି ବାବା ସେ ମୋ ଦୁର୍ଭାଗ୍ୟ ।

ସାରଥି

ଦୁର୍ଭାଗ୍ୟ, ସେଥିରେ ଆଉ ସନ୍ଦେହ କଣ ?

କାମ

କଣ କହିଲୁ ମୁଁ ଦୁର୍ଭାଗ୍ୟ । ତୁ ବଣରେ ବୁଲି ବୁଲି ମରୁଛୁ, ତୁ ଭାଗ୍ୟବାନ୍‍ ।

ସାରଥି

ମହାଶୟ ! କ୍ରୋଧ ହେଉଛନ୍ତି କାହିଁକି ?

କାମ

ଏହିଲାଗେ କଣ ରାଗ ଦେଖୁଛୁ, ମଁ ଇଚ୍ଛାକଲେ ତୋତେ ଭସ୍ମ କରିଦେବି ।

ସାରଥି

ତୁମ୍ଭେ ଆମ୍ଭ ରାଜାଙ୍କୁ ତେବେ ଦେଖି ନାହଁ ।

କାମ

ନା, ଆଉ କ୍ଷମା ନାହିଁ, ଠିଆହୁଅ ତୋତେ ଭଷ୍ମକରିଦେଉଛି, କଣ ଆଖି ପୋଡ଼ୁଛି, ମୁଣ୍ଡ ଘୂରାଉଛି ।

ସାରଥି

ତେବେ ହରିଶ୍ଚନ୍ଦ୍ରଙ୍କୁ ଦେଖି ନାହାନ୍ତି ? ମୁଁ ଯାଉଛି ।

କାମ

ଆରେ କେତେ ଇନ୍ଦ୍ର, ଚନ୍ଦ୍ର ଏଠି ତିଆରି ହେଉଛନ୍ତି । ତୁ କହୁଛୁ ହରିଶ୍ଚନ୍ଦ୍ର, ବେଅକଲି ।

ବିଶ୍ୱାମିତ୍ର

କାମାନ୍ଧକ ଅପରାଧିନୀ ମାନଙ୍କୁ ଘେନିଆ ।

କାମାନ୍ଧକ

ଯେ ଆଜ୍ଞା ।

ବିଶ୍ୱାମିତ୍ର

ଏଇ ତ ନିର୍ଜନ ସ୍ଥାନ, ଏହିଠାରେ ତପସ୍ୟା ଆରମ୍ଭ କରି ଦେବଗଣ, ତୁମ୍ଭମାନଙ୍କର ଦର୍ପ ଚୂର୍ଣ୍ଣ କରିବି ।

 

ଅଗ୍ନିଜାଳି ( ତ୍ରିବିଦ୍ୟା )

 

ଏଥର ଶେଷ ଆହୁତି ଅଗ୍ନିମିଳେ ପୁରୋହିତମ୍‍ ।

ତ୍ରିବିଦ୍ୟା

ରକ୍ଷାକର ରକ୍ଷାକର କେ ଅଛି କେଉଁଠି । ବିପଦରେ ପଡ଼ିଛନ୍ତି ଅବଳା ତିନୋଟି । କେହି କି ପୁରୁଷ ନାହିଁ ବିଶାଳ ଧରାରେ । ଏ ବିପଦୁଁ ଅବଳାଙ୍କୁ ଉଦ୍ଧାର ସତ୍ୱରେ । କେଉଁଠାରେ ଅଛ ରକ୍ଷାକର ରକ୍ଷାକର ।

ହରିଶ୍ଚନ୍ଦ୍ର

ଭୟ ନାହିଁ ଭୟ ନାହିଁ ! ଆରେ ଭଣ୍ଡ ତପସ୍ୱୀ ତୋର କଣ କାର୍ଯ୍ୟ ଏହି; ପବିତ୍ର ତାପସ ବେଶ ପରିଗ୍ରହ କରି ଘୃଣିତ ଜନଘ୍ୟ ପୈଶାଚିକ କାର୍ଯ୍ୟରେ ପ୍ରବୃତ୍ତ ଅଛୁ । ଇନ୍ଦ୍ର, ଚନ୍ଦ୍ର, ବାୟୁ, ବରୁଣ, ତୁ ଯେ ହୁଅ ଆଜି ମୋଠାରୁ ନିଷ୍କୃତି ନାହିଁ । ସୂର୍ଯ୍ୟବଂଶ ରାଜାଙ୍କ ରାଜ୍ୟ ମଧ୍ୟରେ ସ୍ତ୍ରୀ ଜାତି ପ୍ରତି ଅତ୍ୟାଚାର, ବର୍ବର ! ବ୍ରାହ୍ମଣବେଶଧାରୀ ବର୍ତ୍ତମାନ ତୋ ଅପରାଧର ସମୁଚିତ ଦଣ୍ଡ ବିଧାନ କରିବି ।

ବିଶ୍ୱାମିତ୍ର

କା’ର ଆସ୍ପର୍ଦ୍ଧା, ମୋ ପ୍ରତି କଟୂକ୍ତି, ମୋ ଯଜ୍ଞରେ ବ୍ୟାଘାତ ।

ତ୍ରିବିଦ୍ୟା

ହାଃ ହାଃ ହାଃ ହେଲା ନାହିଁ । ମନୁଷ୍ୟ ଆସିଲା କ୍ରୋଧ ହେଲା ବିଘ୍ନ ହେଲା ସିଦ୍ଧି ହେଲା ନାହିଁ ହାଃ ହାଃ ହାଃ ।

ରାଜା

ଏ କଣ ସତ୍ୟ ତପସ୍ୱୀ, କିଏ ସେ ମୁଁ ତ ଚିହ୍ନିପାରୁ ନାହିଁ ।

ବିଶ୍ୱାମିତ୍ର

ସସାଗରାଧରା ଦଣ୍ଡ

ଧାରଣକରି ବିଶ୍ୱାମିତ୍ରଙ୍କୁ ଚିହ୍ନିପାରୁ ନାହିଁ, ଅଚିରେ ଚିହ୍ନାଇ ଦେବି ।

ରାଜା

ସର୍ବନାଶ, ବିଶ୍ୱାମିତ୍ର ରାଜର୍ଷି, ବିଶ୍ୱାମିତ୍ର ! କାହାକୁ କଣ କହିଲି, ମହର୍ଷେ କ୍ଷମା କରନ୍ତୁ ।

ଗୀତ

(ଦେବ) କ୍ଷମ ଅପ୍ରାଧ ମୋହର ।

ଅଜ୍ଞାନେ ମୁଁ ଦ୍ରୋହୀ ହେଲି ତୋର ।

 

ବିଶ୍ୱାମିତ୍ର      ଗୀତ

ଧାର୍ମିକ ରାଜନ, ବୋଲୁ ନରାଧମ

ଐଶ୍ୱର୍ଯ୍ୟ ଗର୍ବରେ ମତି ତୋ ବିଭ୍ରମ

ନ ଜାଣୁ ତୁ ବିଶ୍ୱାମିତ୍ର ଦର୍ପାନ୍ଧ ପାମର ।

 

ହରି

ତପୋଧନ ! ତାର ଆର୍ତ୍ତନାଦ ଶୁଣି ମୁଁ ବ୍ୟଥିତ ହୋଇଥିଲି, କର୍ତ୍ତବ୍ୟ ତାଡ଼ନା ହେତୁ ପ୍ରକୃତି ସ୍ଥିର ରଖି ପାରିଲି ନାହିଁ । ସ୍ୱଧର୍ମ ପାଳନ କରିବା ଉଦ୍ଦେଶ୍ୟରେ ଶାସନ ବାକ୍ୟ ପ୍ରୟୋଗ କରିଅଛି, କ୍ଷମାକର ।

ବିଶ୍ୱା

ସ୍ୱଧର୍ମ ପାଳନ, ବ୍ରାହ୍ମଣପ୍ରତି, ତପସ୍ୱୀ ପ୍ରତି କଟୂକ୍ତି କଣ କ୍ଷତ୍ରିୟର ଧର୍ମ ? ସ୍ୱଧର୍ମ, କସ୍ତେଧର୍ମଃ ?

ରାଜା

ଦାତବ୍ୟଂ ରକ୍ଷିତବ୍ୟଞ୍ଚ ଯୋଦ୍ଧବ୍ୟଂ କ୍ଷତ୍ରିୟୈସୁ ସହ ।

ବିଶ୍ୱା

ଆଚ୍ଛା, କାହାକୁ ଦାନ ଦିଆଯାଏ, କାହାକୁ ରକ୍ଷା କରିବାକୁ ହୁଏ ଆଉ କାହା ସାଙ୍ଗରେ ଯୁଦ୍ଧ କରିବାକୁ ହୁଏ ।

ହରି

ଗୁଣବାନ ବ୍ରାହ୍ମଣକୁ ଦାନ ଦିଆଯାଏ, ଭୟାତୁରକୁ ରକ୍ଷା କରିବାକୁ ହୁଏ ଆଉ ଶତ୍ରୁ ସଙ୍ଗରେ ଯୁଦ୍ଧ କରିବାକୁ ହୁଏ ।

ବିଶ୍ୱା

ଉତ୍ତମ, ଉତ୍ତମ । ମୁଁ କଣ ତୁମ୍ଭ ମତ ଅନୁସାରେ ଦାନର ପାତ୍ର, ମୁଁ କଣ ତୁମ୍ଭ ନିକଟରେ ଗୁଣବାନ ବୋଲି ବିବେଚିତ ।

ରାଜା

କଣ କହୁଛନ୍ତି ତପୋଧନ; ମୁଁ ଆପଣଙ୍କ ପରି ଗୁଣବାନ, ଆପଣଙ୍କ ପରି ଦାନର ପାତ୍ର ଆଉ କେଉଁଠୁ ପାଇବି ? ମୁଁ ଏପରି କଣ ପୁଣ୍ୟ କରିଛି ଯେ ଆପଣ ମୋଠାରୁ ଦାନ ଗ୍ରହଣ କରିବେ ।

ବିଶ୍ୱା            ଆଚ୍ଛା, ମୋ ବିଦ୍ୟା ଓ ତପସ୍ୟା ଅନୁରୂପ କିଛି ଦାନ କର ?

ହରି            ଗୀତ

ସଉଭାଗ୍ୟ ରବି ଉଇଁବକି ମୋର,

ଘୁଞ୍ଚିଯିବ ଆଜି ଅଜ୍ଞାନ ତିମିର ।

 

ବିଶ୍ୱା             ଗୀତ

ବୃଥା ବାକ୍ୟ ପରିହର, ନାହିଁ ଅବସର ।

ବାକ୍ୟ ଛଟାରେ ଆଉ ପ୍ରୟୋଜନ କଣ ?

ଦାନ କରିବ ତ ଶୀଘ୍ର କର ।

 

ହରି            ଗୀତ

ଦୟାକରି ଘେନି ଏ ରାଜ୍ୟ ସମ୍ପଦ,

ପୁତ୍ର ପତ୍ନୀ ବିନା ଅର୍ପିଲି ମୁଁ ସର୍ବ ।

 

ବିଶ୍ୱା             ଗୀତ

ଦକ୍ଷିଣା ବିହୁନେ ଦାନ ହେବଟି ନିଷ୍ଫଳ ।

 

ହରି

ମୋର ସର୍ବସ୍ୱ ଆପଣଙ୍କୁ ଦାନ ଦେଲି ।

ବିଶ୍ୱା

ସ୍ୱସ୍ତି ! ସ୍ୱସ୍ତି ! ତୁମ୍ଭେ ପ୍ରକୃତ ଦାତା, କିନ୍ତୁ ଦକ୍ଷିଣା ଯତ୍‍କିଞ୍ଚିତ ଦେବା ଆବଶ୍ୟକ । ନଚେତ୍‍ ଦାନ ନିଷ୍ଫଳ ହେବ ।

ରାଜା

ସହସ୍ରେ ସ୍ୱର୍ଣ୍ଣ ମୁଦ୍ରା ଦେବି ।

ବିଶ୍ୱା

ଉତ୍ତମ କଥା ।      

 

ଗୀତ

ଏହି ରାଜ୍ୟ ସମ୍ପଦ ହେଲା ମୋର ଆବଦ୍ଧ ।

ନାହିଁଟି ତୋର ସାଧ୍ୟ ହରି ନେବୁ ତିଳାର୍ଦ୍ଧ ।

 

ହରି             ଗୀତ

ନ ହୁଅନ୍ତୁ ତପି କ୍ରୁଦ୍ଧ ଯେ ଆଜ୍ଞା ତୁମ୍ଭର ।

 

ବିଶ୍ୱା

କିନ୍ତୁ ସାବଧାନ ଯେପରି ଦତ୍ତପହାରୀ ନ ହୁଅ । ସମସ୍ତ ପୃଥିବୀ ମୋର ତା’ ତ ଜାଣ । ତୁମ୍ଭ ନିଜ ଦେହ ପୁତ୍ର ପତ୍ନୀ ଭିନ୍ନ ଆଉ ତୁମ୍ଭର କିଛି ନୁହେଁ; ରାଜଭଣ୍ଡାରରେ ଯେ ସବୁ ଧନରତ୍ନ ଆଦି ଅଛି ସେ ସବୁ ମୋର ପ୍ରଜାବର୍ଗଙ୍କର, ଯେ ସବୁ ସମ୍ପତ୍ତି ଅଛି ସେଥିରେ ତୁମ୍ଭର କିଛି ମାତ୍ର ଅଧିକାର ନାହିଁ ।

ରାଜା

ମୋତେ ଏକମାସ ଅବସର ଦିଅନ୍ତୁ ।

ବିଶ୍ୱା

କିନ୍ତୁ ମନେରଖ ମୋ ରାଜ୍ୟରେ ତୁମ୍ଭେ ବାସ କରିପାରିବ ନାହିଁ, ମୁଁ ଆସୁଛି ?

ହରି

ଭଗବତୀ ପୃଥିବୀ, ବୈବସ୍ଵତ ମୁନିଙ୍କଠାରୁ ଆରମ୍ଭ କରି ସକଳ ସୂର୍ଯ୍ୟବଂଶୀୟ ରାଜାମାନେ ତୋତେ ପାଳନ କରି ସୁଯଶ ଭୂଷିତ ହୋଇଅଛନ୍ତି, କିନ୍ତୁ କାହାରି ଭାଗ୍ୟରେ ଏପରି ସୌଭାଗ୍ୟ ଘଟି ନାହିଁ, ମୁଁ ଲୋଭ ସମ୍ୱରଣ କରି ନ ପାରି ତୋତେ ପରମ ଗୁଣବାନ ତପସ୍ୱୀ

କୁଳଗୌରବ ବିଶ୍ୱାମିତ୍ରଙ୍କ ଚରଣରେ ଅର୍ପଣ କଲି । ବସୁମତୀ, ମୋ ଅପ୍ରାଧ କ୍ଷମାକର, ତୁମ୍ଭ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ।

 

ଦ୍ୱିତୀୟ ଦୃଶ୍ୟ

(ଶୈବ୍ୟା ସଖୀସହ)

ଶୈବ୍ୟା

ନାଥ ମୃଗୟା କରିବାକୁ ଯାଇଥିଲେ ଏତେ ବିଳମ୍ୱ ହେଲା କାହିଁକି ? କଣ କିଛି ବାଧାବିଘ୍ନ ଘଟିଲା, ତାଙ୍କ ପରାକ୍ରମ ଜଗତରେ କାହାରିକୁ ଅବିଦିତ ନାହିଁ । ମୁଁ କଣ ଏକା ତାଙ୍କ ଗୁଣର ପକ୍ଷପାତୀ । ସକଳ ଲୋକେ ତାଙ୍କର ଗୁଣ ଆଉ ବିକ୍ରମକଥା କହି ଧନ୍ୟ ଧନ୍ୟ କରନ୍ତି । ତେବେ ବିଘ୍ନ ଆଶଙ୍କା କରୁଛି କାହିଁକି ? କଣ ଶରୀର ଅସୁସ୍ଥ ହେଲା । ତାହା ହେଲେ ତ ଫେରି ଆସିଥାନ୍ତେ, ତେବେ ମୁଁ କାହିଁକି ଏତେ କାତରା ହେଉଛି । ନା ନା, ଅମଙ୍ଗଳ କଥା ଚିନ୍ତା କରିବି ନାହିଁ, ଇଷ୍ଟଦେବ ତାଙ୍କୁ ସବୁଠି ରକ୍ଷାକରିବେ ।

୧ମସଖୀ

ମହାରାଣୀ ! ଦୁଃଖ କରୁଛ କାହିଁକି ? ଏ କିଏ ଦେଖିଲଣି ।

ରାଣୀ

ସଖି ! ଏ କଣ ? ନାଥଙ୍କ ମୁଖ ଏପରି ବିରସ ଦେଖାହେଉଛି କାହିଁକି ?

ସଖୀ

ହଁ, ସତେ ତ । ରାଜମୁକୁଟ ନାହିଁ । ଦେହଟା କଳାକାଠ ପଡ଼ି ଯାଇଛି । ଶୀଘ୍ର ବୁଝ ।

 

(ରାଜା ପ୍ରବେଶ)

ଶୈବ୍ୟା

ପ୍ରାଣେଶ୍ୱର ! ଆପଣଙ୍କ ମୁଖ କମଳ ମ୍ଳାନଦେଖା ଯାଉଛି କାହିଁକି ? ମୁଁ ତ କିଛି ବୁଝିପାରୁ ନାହିଁ, କ’ଣ କଥା କ’ଣ ?

(ଗୀତ)

କହ ଜୀବଧନ ଊଣା କାହିଁକି ମନ

ଶୁଣାଉ ନାହିଁ ଭାରତୀ । କିଣା ଦାସୀରେ

ରୋଷ କରିଛ କି ଜୀବେଶ ଜାଣି ନ ପାରେ

ହୃଦ ହୁଏ କରତି ।

 

ରାଜା-       ଗୀତ

ବୀଣାବଚନା ମୋର ଅର୍ଜିଲା କର୍ମଫଳ

ବର୍ଜିଛି ସୁଖ ଭୋଗ ଗ୍ରାସିଛି ଦୁଃଖାନଳ

ଋଣ ଋଣ ହୃଦୟ କରେ ସଦା ଆକୁଳ

ରକ୍ଷା ନାହିଁରେ ଆଉ ଗତି ମନ୍ଦ ମୋରଟି ।୧।

କଣ ଏପରି ବିପଦ ଘଟିଲା ଶୀଘ୍ର କୁହନ୍ତୁ ନାଥ ।

ରାଜା

ସଖି ! ବିଶ୍ୱାମିତ୍ରଙ୍କ ନାମ ଅବଶ୍ୟ ଶୁଣିଥିବ ?

ରାଣୀ

ବିଶ୍ୱାମିତ୍ର ସେହି କ୍ଷତ୍ରିୟ ତପସ୍ୱୀ ?

ରାଜା

ବର୍ତ୍ତମାନ ସେ ତପସ୍ୟାବଳରେ ବ୍ରାହ୍ମଣ ରାଜର୍ଷି ବିଶ୍ୱାମିତ୍ର ।

ରାଣୀ

କଣ ହେଲା ? କଣ ହେଲା ? ଆପଣ ତାଙ୍କ କୋପାନଳରେ ପଡ଼ିଛନ୍ତି, ହାୟ !

(ଗୀତ)

ଆରେ ବିଧାତା            ତୋର ଏହିକି ସୁବିଚାର

ଅକଳଙ୍କ ବଂଶରେ ଦେଲୁ କଳଙ୍କ ଗାର ।

 

ରାଜା-       (ଗୀତ)

ନକର ତୁ ସନ୍ତାପ, ଲଭିନାହିଁ ମୁଁ ଶାପ

ଦର୍ପାନ୍ଧ ମୁନିକରେ ଅର୍ପିଛି ମୋ ମୁକୁଟ ।

କଣ୍ଟା ହେଲାଣି ମୋର ଦାନ ଦକ୍ଷିଣାତକ

ଆଣ୍ଟମୋ ଗଲା ସରି ନାହିଁ ଏଥୁ ବରତି ।୨।

ଶୈବ୍ୟା

ହାୟ ? ଧରଣୀ ପାଳକ ବ୍ରାହ୍ମଣ ରକ୍ଷକ ପୁଣ୍ୟମୟ ସୂର୍ଯ୍ୟବଂଶ କଣ ବ୍ରାହ୍ମଣ ଶାପ ପ୍ରଦାନର ଉପଯୁକ୍ତ କ୍ଷେତ୍ର ।

ରାଜା

ଦେବୀ ! ଶାପ ନୁହେ ମୁ ତାଙ୍କର ଅନୁଗ୍ରହ ଲାଭ କରିଛି । ସେ କୃପାକରି ମୋଠାରୁ ପୃଥିବୀ ଦାନ ଗ୍ରହଣ କରିଛନ୍ତି, କିନ୍ତୁ ଦାନକୁ ଦକ୍ଷିଣା ବଳି ପଡ଼ିଛି ।

ଶୈବ୍ୟା

କେତେ ଦକ୍ଷିଣା ନାଥ !

ରାଜା

ଏକ ସସ୍ର ସ୍ୱର୍ଣ୍ଣମୁଦ୍ରା ।

ଶୈବ୍ୟା

ଆମ୍ଭର ଭଣ୍ଡାରରେ କଣ ନାହିଁ ?

ରାଜା

ମୋର ଭଣ୍ଡାରରେ କି ଅଧିକାର ଅଛି ? ସବୁ ଋଷିଙ୍କର ।

ରାଣୀ

ତେବେ ଋଷିଙ୍କର ଦକ୍ଷିଣା କିପରି ପରିଶୋଧ ହେବ ନାଥ !

ରାଜା

ଦେବୀ ! ତୁମ୍ଭକୁ ଓ ରୋହିତକୁ ତୁମ୍ଭର ପିତା ଗୃହରେ ଛାଡ଼ି କାଶୀ ଧାମରେ ମୋର ଆତ୍ମ ବିକ୍ରୟ କରି ଋଷିଙ୍କର ଦକ୍ଷିଣା ପରିଶୋଧ କରିବି ।

ଶୈବ୍ୟା

ପୃଥିବୀନାଥ, ଆପଣ ତ ବ୍ରାହ୍ମଣକୁ ସନ୍ତୋଷ କରିବା ଲାଗି ପୃଥିବୀ ଦାନ କଲେ, ଆଉ କାହାକୁ ସନ୍ତୋଷ କରିବାକୁ ଧର୍ମପତ୍ନୀ ତ୍ୟାଗ କରିବେ ?

ରାଜା

ଅଭିମାନିନୀ ! ମୁଁ କଣ ତୁମ୍ଭଙ୍କୁ ପରିତ୍ୟାଗ କରୁଛି । ପ୍ରିୟେ ଭିକ୍ଷୁକ ସାଥିରେ କେଉଁଆଡ଼େ ଯିବ ?

ରାଣୀ-             ଗୀତ

ଯତି ହେଲେଟି ପତି ନେବି ମୁଁ ଭିକ୍ଷାପାତ୍ରୀ

ପତି ବିନା ମୋରଟି ନାହିଁ ଏ ଭବେ ଶାନ୍ତି ।

 

ରାଜା-       (ଗୀତ)

କନକନେତ୍ରି ପଥେ ଚାଲିବୁ ତୁ କେମନ୍ତେ

ଦୁର୍ଭାଗା ସଙ୍ଗେ ଯିବା ଶୋଭିବ ନାହିଁ ତୋତେ

ତରୁଣୀ ତରୁତଳେ ଆଶ୍ରା କରିବୁ ନିତ୍ୟେ

ଭରସା ନାହିଁ ମୋର ଦୁର୍ଦ୍ଦଶା ଅଛି ଘଟି । ୩ ।

ରାଣୀ

ନାଥ ! ମୋର ପତି ପୁତ୍ର ଯେଉଁଠି ମୋର ରାଜ୍ୟ ସେଇଠି, ଆଜି ଆପଣ ଯେବେ ଇନ୍ଦ୍ର ହୋଇଥାନ୍ତେ, ମୁଁ ପାରିଜାତ ହାର ଗଳାରେ ପକାଇ ଆପଣଙ୍କ ବାମ ପାର୍ଶ୍ୱରେ ଶଚୀ ହୋଇ ବସିଥାନ୍ତି । ବିଧାତା ନିୟମରୁ ଯେବେ ଆପଣଙ୍କୁ ଭିକ୍ଷା ମାଗିବାକୁ ହେଲା, ତେବେ ମୁଁ ମଧ୍ୟ ଆପଣଙ୍କ ସହଚରୀ ହୋଇ କଳଙ୍କ ବହନ କରି ବୁଲିବି । ହିମାଳୟ ନନ୍ଦିନୀ ଜଗତ ଜନନୀ ପତି ସଙ୍ଗେ ଯୋଗ୍ନୀ ସାଜି କାଞ୍ଚନ ଦେହକୁ ଭଷ୍ମ ଭୂଷିତା କରିଥିଲେ, ମୁଁ ମଧ୍ୟ ସେହି ମହାଶକ୍ତି ଅଂଶେ ଜନ୍ମ । ମହାରାଜ ପୁରୁଷର ବଳ ତାର ହୃଦୟରେ ।

ରାଜା

କାହିଁଗଲ ବିଶ୍ୱାମିତ୍ର, ଆସି ଦେଖ ତୁମ୍ଭେ ଛାର କି ସାମାନ୍ୟ ଐଶ୍ୱର୍ଯ୍ୟ ନେଇଛ, ଆସି ଦେଖ, ଦେଖିଯାଅ ତୁମ୍ଭେ, ହରିଶ୍ଚନ୍ଦ୍ରଙ୍କୁ କାଙ୍ଗାଳ କରିପାରି ନାହଁ, ଥରେ ଆସି ଦେଖିଯାଅ ବିଶ୍ୱାମିତ୍ର, ହରିଶ୍ଚନ୍ଦ୍ର ବକ୍ଷରେ ବି କୌସ୍ତୂଭ ଲାଞ୍ଚିତରତ୍ନ ଶୋଭା ପାଉଅଛି, କି କମଳା ତାର ହୃଦୟ ସାଗର ଆଲୋକିତ କରୁଅଛି, କି ତ୍ରିଲୋକ ଦୁର୍ଲଭ କି ଅସୀମ ପ୍ରେମରାଜ୍ୟ ସଙ୍ଗେ ନେଇ ତୁମ୍ଭଙ୍କୁ ଛାର ମୃତ୍ତିକା ପୃଥିବୀ ତ୍ୟାଗକରି ଯାଉଛି । ଯେତେ କିଛି ସୁଖ ଅଛି ଏହି ଧରାତଳେ, ସକଳ ସୁଖର ସୁଖ ପତ୍ନୀ । ଚାଲ ପ୍ରିୟେ ଶୀଘ୍ରତର ଗୃହତ୍ୟାଗ କରିବା । ଏ ବେଶ ଭୂଷାରେ ଆଉ କିଛି ପ୍ରୟୋଜନ ନାହିଁ ।

ରାଣୀ

ବୁଝିଛି ମହାରାଜ ! ଏ ରତ୍ନ ଅଳଙ୍କାର ବି ମୋର ନୁହେ ।

ରାଜା

ପ୍ରିୟତମେ ! ତୁମ୍ଭେ ମୋର ସର୍ବସ୍ୱ । ତୁମ୍ଭଙ୍କୁ ଭୂଷଣହୀନା କିପରି ଦେଖିବି ।

ରାଣୀ

ଏହି ଅମୂଲ୍ୟ ରତ୍ନହାର ଆଜିଠାରୁ ମୁଁ ଦିବା ନିଶି ଗଳାରେ ପନ୍ଧିଥିବି । ଆସ ନାଥ ପିନ୍ଧାଇଦିଅ ।

ରାଜା

ଦୁଃଖର ଏତେ ପୁରସ୍କାର; ଜଗଦୀଶ୍ୱର ! ସ୍ନେହ ପାରିଜାତ ଦେଖାଇବା ଲାଗି ସହାନୁଭୂତି ଅମୃତ ପାନ କରାଇବା ଲାଗି କଣ ତୁମ୍ଭେ ଦୁଃଖ ସୃଷ୍ଟି କରିଅଛ ।

ରାଣୀ

ଚାଲ ରୋହିତକୁ ସଙ୍ଗରେ ନେଇଯିବା ।

 

୩ୟ ଦୃଶ୍ୟ

( ସଖୀବୃନ୍ଦ ଗୀତ )

ଆସ ଆସ ସହି            ବେଳ ଆଉ ନାହିଁ

ଦୁଃଖ- ନିଶି ଘୋଟି ଆସିଲା,

ଅଯୋଧ୍ୟାର ଚନ୍ଦ୍ର            ଦାତା ହରିଶ୍ଚନ୍ଦ୍ର

କାଳରାହୁ ଆସି ଗ୍ରାସିଲା ।

ନାହିଁ ଏ ଭବନେ ସୁଖ ଶାନ୍ତି ଆଉ

ହଟିଆ ବିଧାତା ସାଧିଲାଣି ଦାଉ

ଧରମ କରମ ସବୁ କ୍ରୂର କାଳ ଶୋଷିଲା ।

 

ବିଶ୍ୱାମିତ୍ର

ଏ କି କୋଳାହଳ, ବୋଧହୁଏ ଦାତା ହରିଶ୍ଚନ୍ଦ୍ର ବିଚ୍ଛେଦରେ ଅଯୋଧ୍ୟାବାସୀମାନେ ରାଜ୍ୟ ଛାଡ଼ି ପଳାଉଛନ୍ତି । ତେବେ ମୁଁ କାହାକୁ ଘେନି ରାଜ୍ୟ ଚଳାଇବି, ଏ କିଏ ?

 

( ସେନାପତି ପ୍ରବେଶ )

ବିଶ୍ୱାମିତ୍ର

ତୁମ୍ଭେ କିଏ, ତୁମେ କ’ଣ ମନେକରି ଆସିଲ ?

ସେନାପତି

ମହାରାଜ ହରିଶ୍ଚନ୍ଦ୍ର ମୋର ଅନ୍ନଦାତା । ତାଙ୍କ ଅନୁସନ୍ଧାନରେ ଯିବିବୋଲି ମନ୍ତ୍ରୀଙ୍କଠାରୁ ଅନୁମତି ନେବାକୁ ଆସିଅଛି ।

ବିଶ୍ୱାମିତ୍ର

ମନ୍ତ୍ରୀ ମହାଶୟଙ୍କ ଅନୁମତି ? ତେବେ ମୁଁ କଣ କେହି ନୁହେଁ ? ତୁମ୍ଭେ ଜାଣ, ତୁମ୍ଭର ରାଜା ମୋତେ ସର୍ବସ୍ୱ ଦାନ କରିଛନ୍ତି । ଏ ରାଜତ୍ୱ ମୋର । ତୁମ୍ଭମାନେ ମୋର ଅଧୀନ ପ୍ରଜା । ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବା ତୁମ୍ଭମାନଙ୍କର ଅଧିକାର ନାହିଁ ।

ସେନା

ମହାରାଜ ହରିଶ୍ଚନ୍ଦ୍ର ଆପଣଙ୍କୁ ସର୍ବସ୍ୱ ଦାନ କରିଛନ୍ତି ସତ୍ୟ, ଏ ରାଜତ୍ୱ ଆପଣଙ୍କର ଏକଥା ସତ୍ୟ; କିନ୍ତୁ ପ୍ରଜାଙ୍କର ଇଚ୍ଛା ଉପରେ ତାଙ୍କର କିଛି ଅଧିକାର ନଥିଲା କି ପ୍ରଜା ଇଚ୍ଛାକୁ ସେ ଦାନ କରିପାରନ୍ତି ନାହିଁ । ପ୍ରଜାଙ୍କ ଇଚ୍ଛା ନଥିଲେ ସେ କଣ ବଳପୂର୍ବକ ରାଜ୍ୟରେ ବାସ କରାଇ ପାରିବେ ।

ବିଶ୍ୱା

ତୁମ୍ଭେ କଣ କହିବାକୁ ଚାହୁଁଛ ? ମନେରଖ, ଏ ଅଙ୍ଗୁଳିଚୟ ଆଜି ଫୁଲମାଳ ଧରିଛି ବୋଲି ଧନୁ ଚାଳନା ପୂର୍ବସଂସ୍କାର ଭୁଲି ଯାଇନାହିଁ ?

ଜଳଧର

ଆପଣଙ୍କର ପୂର୍ବସଂସ୍କାର ଥାଇପାରେ, କିନ୍ତୁ ଜଟ୍ଟା ବଳ୍‍କଳ ଧାରଣକରି ରଣବିଦ୍ଧ କରିବା କ୍ଷତ୍ରିୟର ଧର୍ମ ନୁହେଁ ।

ବିଶ୍ୱା

ତୁମ୍ଭର କଥା ବିଦ୍ରୋହ ଉତ୍ତେଜକ । ବିଦ୍ରୋହିର ଶାସ୍ତି ପ୍ରାଣଦଣ୍ଡ !

ଜଳଧର

କେ କହେ ବିଶ୍ୱାମିତ୍ର ହୃଦୟରେ ଦୟା ନାହିଁ । ଦୟାମୟ ଶୀଘ୍ର ସେକଥା କରନ୍ତୁ, ଶୀଘ୍ର ପ୍ରାଣଦଣ୍ଡ ଆଜ୍ଞା ଦିଅନ୍ତୁ । ସେତିକି ହେଲେ ଏ ଦଗ୍‍ଧ ନୟନ ରାଜଚକ୍ରବର୍ତ୍ତୀ ହରିଶ୍ଚନ୍ଦ୍ରଙ୍କୁ ଆଉ ଭିକାରୀ ବେଶରେ ଦେଖିବ ନାହିଁ । ରାଜର୍ଷି ! ପ୍ରକୃତରେ ମୁଁ ବିଦ୍ରୋହୀ । ଯମାଳୟ ମୋର ଉପଯୁକ୍ତ ସ୍ଥାନ ।

ବିଶ୍ୱା

ତୁମ୍ଭେ ପ୍ରାଣଭୟ କର ନାହିଁ, ଆଚ୍ଛା ତୁମ୍ଭେ ଯାଅ ।

 

୩ୟ ଅଭିନୟ

ପ୍ରଥମ ଦୃଶ୍ୟ

( ହରିଶ୍ଚନ୍ଦ୍ର, ଶୈବ୍ୟା ଓ ରୋହିତ )

ରୋହିତ

ମା, ମା, ମୁଁ ଆଉ ଚାଲିପାରିବି ନାହିଁ । ମୋର ଗୋଡ଼ କଣ ହୋଇ ଯାଉଛି ।

ଶୈବ୍ୟା

ବାପରେ, ଆଉ ଅଳ୍ପବାଟ ଚାଲ, ଆଗରେ ଗ୍ରାମ ପଡ଼ିବ । ସେହିଠାରେ ବିଶ୍ରାମ ନେବା ।

ରୋହିତ

ନା ମା, ମୁଁ ଆଉ ଦଣ୍ଡେ ଚାଲିପାରିବି ନାହିଁ ।

( କ୍ରନ୍ଦନ ଗୀତ )

ପାଦ ଆଉ ଚଳୁନାହିଁ ଶୁଖିଲାଣି କଣ୍ଠ ମା,

ଆଣିଦିଅ ମୋତେ ଅନ୍ନ ଭୁଞ୍ଜିବି କରି ଯତନ

ହେବ ଏ କ୍ଷୁଧା ମେଣ୍ଟଣ ଯିବି ଚାଲି ଝଟ ମା ।

ମୋତେ ଗଣ୍ଡିଏ ଅନ୍ନ ଦିଅ, ମୁଁ ଖାଇଲେ ବଞ୍ଚିବି

ନଚେତ୍‍ ମୋର ପ୍ରାଣ ଗଲା ।

ଶୈବ୍ୟା

ହା ଦଇବରେ, ଯାହାକୁ ଘରେ ଖିରି ପୁରୀ ରୁଚେ ନାହିଁ, ସେ ଆଜି ସାମାନ୍ୟ ଭାତମୁଠାକ ପାଇଁ ଏତେ ଆତୁର, ନାଥ କଣ କରିବି ।

ରାଜା

ପ୍ରିୟେ ମୋର ଚାରା କଣ ।

ରୋହିତ-       (ଗୀତ)

ପରାଣ ଛାଡ଼ିଲା ପରି            ପ୍ରତୀତ ହୁଏ ମୋହରି

କ୍ଷୁଧାନଳ ଦିଏ ଘାରି            ସହିନୁହେ କଷ୍ଟ ମା ॥

ମା ଏଇଥର ପ୍ରାଣଗଲା ।

ଶୈବ୍ୟା

ନାଥ ! କଣ କରିବି ? କେଉଁଠାରୁ ଅନ୍ନ ପାଇବି । ଆପଣ ହେଲେ ଯାଆନ୍ତୁ କେଉଁଠାରୁ ଅନ୍ନଗଣ୍ଡିଏ ମାଗି ଆଣିବେ ।

ରାଜା

କେଉଁଠାକୁ ଯିବି, କଣ କହି ମାଗିବି ।

ଶୈବ୍ୟା

ନାଥ । ଲଜ୍ଜା କରୁଛନ୍ତି ?

ରାଜା

ପ୍ରିୟେ ! କି କଥା କହୁଛ, ରୋହିତ କ୍ଷୁଧାରେ ଆତୁର, ହେଉଛି, ମୋତେ ଲଜ୍ଜା ହେଉଛି ? ତେବେ ସନ୍ଧାନ କରେ ।

ରାଣୀ

ହା ଦଇବ ! ତୋର ଏହି ବିବେକ, ତୋହର ଏହି ବିଚାର । ଯାହାର ଅନ୍ନରେ ଅଯୋଧ୍ୟାବାସୀ ପ୍ରତିପାଳିତ, ସେ ଆଜି ପଥର ଭିକାରୀ ।

(ଗୀତ)

ବିହି କି ନ କଲାରେ ଏ ଦଣ୍ଡ ଦେଲା ।

ଦଣ୍ଡ- ଛତ୍ରଧାରୀ ଅନ୍ନ ଛତ୍ର ଲୋଡ଼ିଲା ।

ଯାର ପାଦତଳେ କୋଟି କୋଟି ଦାସ ଦାସୀ, ଯାର ଭଣ୍ଡାର କୁବେରର ଭଣ୍ଡାର ପରି, ଯାର ଲକ୍ଷ ଲକ୍ଷ ଲୋକଙ୍କୁ ଦୈନିକ ପଡ଼ି ଖଞ୍ଜା, ସେ ପୁଣି ଆଜି ଦୀନ ଅରକ୍ଷ ।

(ଗୀତ)

ଯେ ଦାନୀ ପଣରେ ଶ୍ରେଷ୍ଠ

ଯା ନାମ ଘୋଷେ ଜଗତ ।

ସେ ଆଜି ଦୀନ ଅରକ୍ଷ

କନ୍ଧେ ବହେ ଭିକ୍ଷା ଝୋଲା ।

 

ଦଇବରେ ! ତୁ କ୍ଷଣକେ ମାନବକୁ ହସାଇ ଦେଇପାରୁ, କ୍ଷଣକେ କନ୍ଦାଇ ପାରୁ, ତୋର ଲୀଳା କେ ବୁଝିବ । କାହିଁ ରାଜରାଜେଶ୍ୱର, କାହିଁ ପଥର ଭିକାରୀ । ଏଇ ଆସିଲେ ପରା, ବାପ ! ଉଠୁ ।

ହରି

ପ୍ରିୟେ ! ମୁଠିଏ ଭାତ ତୋରାଣି ମିଳିଲା, କୌଣସି ପାତ୍ର ନ ପାଇ ଏ ଖପରା ଖଣ୍ଡିକରେ ଆଣିଲି । ମନରେ କୌଣସି କଷ୍ଟ ଆଣିବ ନାହିଁ । ରୋହିତକୁ ଉଠାଅ ( ରୋହିତ ଉଠି )

ରୋହିତ

ମା ମୁଁ କଣ ଏକା ଖାଇବି ? ବାବାତ କାଲିଠାରୁ କିଛି ଖାଇନାହାନ୍ତି, ତୁମେ ବି ଉପବାସରେ ଅଛ । ଆସ ସମସ୍ତେ ବାଣ୍ଟିକରି ଖାଇବା ।

ରାଜା

ଆଚ୍ଛା, ତୁ ଖାଇସାର, ଆମ୍ଭେମାନେ ପଛରେ ଖାଇବୁ ।

ରୋହିତ

ନାହିଁ ନାହିଁ, ତୁମ୍ଭେ ଆଗ ନିଅ ।

 

(ତଥାକରଣ)

ଭିକ୍ଷୁକମାନେ

ହେ ବାବା, ହେ ମା’, ଈଶ୍ୱର ତୁମ୍ଭର ମଙ୍ଗଳ କରିବେ, ଆମ୍ଭମାନଙ୍କୁ ଗଣ୍ଡିଏ ଦେ, ହେ ମା’, ହେ ବାବା !

ଗୀତ-

ଦେ ଦେ ଦେରେ ବାବା ଭିକାରୀକୁ ମୁଠାଏ ଦେ ।

ସରିଯିବ ନାହିଁଟି ତୋର

ହରି ତୋର ବଡ଼ତି କରିବେ ।

ପରପେଟ ଚିହ୍ନିଲେ ତୁହି ।

ତୋର ପେଟ ଜାଣିବ କେହି ।

ଦୟା ପଦ ଯା ଠାରେ ନାହିଁ

ଧିକ ଜନ୍ମ ତାର ଏ ଭବେ

ହେ ମା ମୁଠାଏ ଦେ ।

 

ହରି

ଆରେ ଭାଇ, ଆମ୍ଭେମାନେ ତୁମ୍ଭଠାରୁ କାଙ୍ଗାଳ । ବର୍ତ୍ତମାନ ମୁଠିଏ ଏ ଗ୍ରାମରୁ ମାଗି ଆଣି ତିନିପ୍ରାଣୀ ଘେରି ବସିଛୁଁ ।

ଭିକ୍ଷୁ

ଆରେ ସେଇଥିରୁ ମୁଠାଏ ଦେ ।

ରୋହିତ

ବାବା ! ମୁଁ ଖାଇବି ନାହିଁ । ମୋର କ୍ଷୁଧା ତୃଷା ଏମାନଙ୍କୁ ଦେଖି ଚାଲିଗଲାଣି, ତୁମ୍ଭେ ଖାଇବତ ଖାଅ, ମୋ ଭାଗ ଏ କାଙ୍ଗାଳିମାନଙ୍କୁ ଦେବି ।

ହରି

ରୋହିତ, ତୁ ଅବୁଝା ହେବାରୁ ଆମ୍ଭେମାନେ ବସିଥିଲୁ ସିନା ଦେ ତୋର ଇଚ୍ଛା, ଯାଆ କାଙ୍ଗାଳିମାନଙ୍କୁ ଦେ । (ଭିକାରୀଙ୍କୁ ଦେବା)

ଶୈବ୍ୟା

ଚାଲ ନାଥ କୌଣସି ଗ୍ରାମ ନିକଟକୁ ଯିବା ।

ରାଜା

ଚାଲ ତେବେ ।

 

ଦ୍ୱିତୀୟ ଦୃଶ୍ୟ

( ବ୍ରାହ୍ମଣ ଦୁଇଜଣ )

୧ମ

ଭାଇନା, ଆମ୍ଭଠାରୁ କପାଳିଆ ଏ ଦୁନିଆରେ କେହି ନାହାନ୍ତି, କହନ୍ତି ବ୍ରାହ୍ମଣ କାଙ୍ଗାଳ, କିନ୍ତୁ ଦାତା ହରିଶ୍ଚନ୍ଦ୍ର ଯୋଗୁ ଆମ୍ଭମାନଙ୍କ କାଙ୍ଗାଳପଣିଆଟା ଛାଡ଼ିଯାଇଛି । କଣ ଖାଇବ ? ପୁରି ଲଡ଼ୁ ଛଡ଼ା ତ ଚୂଡ଼ା ହୁଡ଼ୁମ ପତରରେ ପଡ଼େନାହିଁ । ବସାଦହି ଛୁରୀରେ କଟାହୋଇ ଦିଆଯାଏ । ଆଉ ପ୍ରତିଦିନ ଦାନ ନେଇ ନେଇ କୋଠାବାଡ଼ି କରିଗଲୁଣି । ଆଉ ଏପରି ରାଜା କେବେ ଏ ନେତ୍ର ଦେଖି ନଥିଲା ।

୨ୟ

ଗୋବର୍ଦ୍ଧନ ! କୋଠାବାଡ଼ି ତ ହେଲାଣି । ଆଉ ଦଉଡ଼ୁଛୁ କିଆଁ ।

୧ମ

ଭାଇନା, ବୁଝିନାକି ପ୍ରକୃତିଃ ନୈବମୂଚ୍ୟତେ । ଢିଙ୍କି ଯଦି ସ୍ୱର୍ଗକୁ ଯାଏ, ଧାନ କୁଟାରୁ କି ରହିତ ହେବ, ସେଟା ଆମ୍ଭ ପିତୃ

ପିତାମହଙ୍କ ବେଉସା ।

୨ୟ

ଚାଲ ଦାନ ସମୟ ହୋଇଗଲାଣି, କଥା କହୁ କହୁ ଦିନ ଯିବ ।

 

( ଜୟ ଦାତା ହରିଶ୍ଚନ୍ଦ୍ରଙ୍କର ଜୟ )

 

( ଦୂତର ପ୍ରବେଶ )

 

କାହାର କଣ ହେଲାଣି ଏଗୁଡ଼ାଙ୍କର ଖାଲି ପେଟଚିନ୍ତା ।

୧ମ

କିରେ ଦୂତ, ଆଜି କଣ ଦାନ ସରିଗଲାଣି କି ?

ଦୂତ

ହଁ, ଦାନ ସରିଗଲାଣି, ବ୍ରାହ୍ମଣମାନେ ଭୋଜନରେ ବସିଛନ୍ତି ।

୧ମ

ଭାଇନା, ଯେଉଁଠି ଥିବ ଚିତା କରୁ କରୁ ଦିନ ଯିବ, ଏବେ ସଇଲା । ହେ ଦୂତ ! କହ ବେଶୀ ନାହାନ୍ତି ଦୁଇଜଣ ବ୍ରାହ୍ମଣ ଉପବାସରେ ରହିଯାଉଛନ୍ତି ।

ଦୂତ

ନା ନା, ସେ କଥା ହେବ ନାହିଁ ।

ବ୍ରାହ୍ମଣ

ମହାରାଜ ! ଦୁଇଜଣ ଗରିବ ବ୍ରାହ୍ମଣ ଉପବାସରେ ମଲେ, ଭୋଜନ ମୁଠିଏ ମିଳୁ ।

ଦୂତ

ମଲେରେ ଏଗୁଡ଼ାକ । ହେ ଗୋସାଇଁ ! ଆଜି ବିଚାର ହୋଇଥିଲା ଯେଉଁମାନେ ପଙ୍ଗତପରେ ଆସିବେ ସେମାନେ ଫେରିଯିବେ; ଯଦି ବିଶେଷ ଜଞ୍ଜାଳ କରନ୍ତି ତେବେ ମୁଠିଏ ମିଳିବ, କିନ୍ତୁ ଗୋଟିଏ କାର୍ଯ୍ୟ କରିବାକୁ ହେବ ।

୧ମ

କି କାର୍ଯ୍ୟ କୁହ ଆମ୍ଭେ ପ୍ରସ୍ତୁତ ।

ଦୂତ

ତୁମ୍ଭେମାନେ କାନ ନାକ ଧରି କୋଡ଼ିଏ ଥର ଉଠୁ ବସ ହୁଅ, ତା ପରେ ମିଳିବ ।

 

( ବ୍ରାହ୍ମଣ ତଥା କରଣ )

ଦୂତ

ଥାଉ ଥାଉ, କାହାର କଣ ହେଲାଣି ୟାଙ୍କ ନିଦ ଭାଙ୍ଗିନାହିଁ ।

( ଗୀତ )

ନନା, ସରିଲାଣି ଦୟା । ଧରମରେ ପୋଡ଼ା କରମ

ଏ ଅଯୋଧ୍ୟାଧାମ ହେଲା ଆଜୁ

ଶୂନ୍ୟ ଦଇବର ଦୁର୍ଘଟଣ

ନନା ! ସବୁ ସରିଗଲାଣି ସବୁ ସରିଗଲାଣି

ଏ ଅଯୋଧ୍ୟଶିରୀ ଚାଲି ଗଲାଣି !

୧ମ

କଣ କଥା କଣ ?

 

 

ଦୂତ-             (ଗୀତ)

ବିଶ୍ୱାମିତ୍ରେ ଦାନ            ଦେଲେଣି ରାଜନ

ଏ ପୁଣ୍ୟ ଅଯୋଧ୍ୟା ଧାମ ।

ନନା ! ଏ ରାଜସିଂହାସନ ରାଜା ଆମ୍ଭର ବିଶ୍ୱାମିତ୍ରଙ୍କୁ ଦାନକରି ଏଠାରୁ କାଶୀ ଗଲେ ।

 

୧ମ

ବେହିପ କଣ କହୁଛୁ, ସତ କଥା, ଆଚ୍ଛା କାହିଁକି କାଶୀ ଗଲେ ।

 

 

ଦୂତ-                                           ( ଗୀତ )

ଦାନର ଦକ୍ଷିଣା            କରିବେ ଠିକଣା

ଆତ୍ମାବିକି ତିନିଜଣ ।

 

ନନା ! ରାଜା ଆମ୍ଭର ପୃଥିବୀ ଦାନକରି ଦକ୍ଷିଣା ନ ପାଇବାରୁ କାଶୀ କ୍ଷେତ୍ରକୁ ଗଲେ । ସେଠାରେ ଆତ୍ମବିକ୍ରୟ କରି ଋଷିଙ୍କ ଦକ୍ଷିଣା ଦେବେ ।

 

ଦୂତ-       ( ଗୀତ )

ବାଳକୃଷ୍ଣ ବୋଲେ            କି ହେବ ଭାବିଲେ

ଝୁରି ଝୁରି ଯିବ ଦିନରେ

ନନା ! ସବୁ ସରି ଗଲାଣି, ଯାଅ, ଆଉ କାହିଁକି ବ୍ୟସ୍ତ ହେଉଛ ।

 

୧ମ-

ଭାଇନା ! ଆଜି ଯେଉଁ ବଦମଙ୍ଗଳ ମୁହଁ ଚାହିଁ ଘରୁ ବାହାରିଥିଲେ କେଡ଼େ ବଡ଼ କଥାଟାଏ ଶୁଣିଲେ, ଚାଲ ଗୋଡ଼ାଇ ଗୋଡ଼ାଇ ଯିବା, ଟିକିଏ ଦେଖାକରି ଆସିବା ।

 

ତୃତୀୟ ଦୃଶ୍ୟ

ରାଜା- ରାଣୀ- ରୋହିତ

ରାଜା

ପ୍ରିୟେ ! ତୁମ୍ଭଙ୍କୁ ବହୁତ କଷ୍ଟ ହେବଣି, ମୋତେ ଦିଅ ମୁଁ କିଛି ପଥ କୋଳକରି ନେଇ ଯାଏ, ଆ ! ବାପ ମୋ କୋଳକୁ ଆ’ (କାଖ କରି) କାଶୀହାଟ ଆଉ କେତେ ବାଟ ପଡ଼ିବ କେହି ଲୋକ ଦେଖା ହେଲେ ପଚାରନ୍ତେ, ଏମାନେ କିଏ ।

୨ୟ ବ୍ରାହ୍ମଣ

ଗୋବର୍ଦ୍ଧନ ଦେଖିଲୁଣି କିଏ ଦୁଇ ତିନିଜଣ ଯାଉଛନ୍ତି ।

୧ମ

ଭାଇନା ! ତମ ଆଖିରେ କଣ ପରଳ ମାଡ଼ିଗଲାଣି କି, ଏଗୁଡ଼ାକ କିଏ କାଙ୍ଗାଳ ଯାଉଛନ୍ତି, ଆଚ୍ଛା ଏହାଙ୍କଠାରୁ ସନ୍ଧାନ ବୁଝିବା । ହଇହେ ! ଏବାଟେ ଆମ୍ଭ ମହାରାଜ ଗଲେ କି ?

ହରି

ତୁମ୍ଭ ମହାରାଜ କିଏ, ଆମ୍ଭେତ ଚିହ୍ନିନାହୁଁ ।

୧ମ

ତୁ ଚିହ୍ନି ନାହୁଁ, ଦାତା ହରିଶ୍ଚନ୍ଦ୍ରଙ୍କୁ ଚିହ୍ନିନାହୁଁ ।

ହରି

ସେ କେବେ ଦାତା ଥିଲେ ବର୍ତ୍ତମାନ ପଥର ଭିକାରୀ ।

 

ବ୍ରାହ୍ମଣମାନେ ! ଏ ହତଭାଗା ସେହି ହରିଶ୍ଚନ୍ଦ୍ର ।

 

( ପ୍ରଣାମ କରିଣ )

୧ମ

ହା ବିଧାତାରେ ! ରାଜଚକ୍ରବର୍ତ୍ତୀଙ୍କର ଏହି ଦଶା, ମହାରାଜ ଅଜଣାରେ କଣ କହି ପକାଇଲୁ ।

ହରି

କିଛି ଚିନ୍ତା ନାହିଁ, ତୁମ୍ଭେମାନେ କୁଆଡ଼େ ଆସିଲ ।

୧ମ

ମହାରାଜ ! ଆମ୍ଭେମାନେ ତୁମ୍ଭରି ଅନ୍ନରେ ପ୍ରତିପାଳତ, ଆଜି ରାଜନବରକୁ ଦାନ ଆଶାରେ ଯାଇଁ ଆପଣଙ୍କ ଅବସ୍ଥା ଶୁଣି ସାକ୍ଷାତ୍‌ ନିମନ୍ତେ ଆସିଲୁ ।

ରାଜା

ଗୋସାଇଁ ! ହରିଶ୍ଚନ୍ଦ୍ରଙ୍କର ଆଉ ରାଜ୍ୟ ନାହିଁ, ହରିଶ୍ଚନ୍ଦ୍ର ଦୀନ ଭିକାରୀ !

ରୋହିତ

ପିତା ମୋର ଗଳାରେ ଏ ଯେଉଁ ରତ୍ନ ହାରଟି ଅଛି ତାକୁ ଏ ବ୍ରାହ୍ମଣମାନଙ୍କୁ ଦେଇ ଜୀବନ ଧନ୍ୟ କରିବି ।

ବିଶ୍ୱାମିତ୍ର

ଜୀବନ ଧନ୍ୟ କରିବ ସତ୍ୟ, କହ ବତ୍ସ ! ଏ ହାର ତୋ ପିତା ଦେଇଥିଲେ ନା କୁବେର ଭଣ୍ଡାରରୁ ଜୟ କରି ଆଣିଥିଲୁ ।

 

(ଗୀତ)

କହ ରାଜପୁତ୍ର କାହାର ଏ ବିତ୍ତ

ଅର୍ପୁଛୁ ବ୍ରାହ୍ମଣ କରେ ।

ପୈତୃକ ସମ୍ପତ୍ତି, ପିତା ତୋର ଅର୍ପି,

ଦେଇଛନ୍ତି ମୋହ କରେ ।

ତୁ କି ନ ଜାଣୁ ଧନ,

(ଆଜି) ବ୍ରାହ୍ମଣ ହରଣେ ଦେଉ ମନ ।।

ମହାରାଜ ! ପୁତ୍ରକୁ ବେଶ୍‍ ଶିକ୍ଷା ଦେଉଛନ୍ତି, ବତ୍ସ ! କା’ର ଧନ ଏଠାରେ ଦାନ କରୁଅଛ ?

 

(ଗୀତ)

ଅଙ୍ଗୁ ଅଳଙ୍କାର            କାଢ଼ରେ କୁମର

କୁଣ୍ଠିତ ନ ହୁଅ ମନେ ।

ତୋ ନିଜ ଅର୍ଜନ            କରି ପାରୁ ଦାନ,

ଡକାଇ ଯୋଗ୍ୟ ବ୍ରାହ୍ମଣେ;

ତହିଁ ନାହିଁ ଚିନ୍ତା ।

ଦାନୀପଣେ ହୁଅ ସାମରଥା ।୨।

 

ବତ୍ସ ! ତୋର ନିଜ କମେଇଦ୍ୱାରା ଯାହା ଦାନ କରିବୁ ତହିଁରେ ମୋର କିଛିମାତ୍ର ଦାବୀ ନାହିଁ, ଏ ପଦାର୍ଥ ମୋର ଦେ ଶୀଘ୍ର କାଢ଼ି ଦେ (ଓହ୍ଳାଇ ନେବା) ।

ବ୍ରାହ୍ମଣେ ଧିକ୍‍ ଧିକ୍‍ ଧିକ୍‍ ।

ବିଶ୍ୱା

ଚୁପ୍‍କର ବ୍ରାହ୍ମଣେ, ମୋତେ ଚିହ୍ନି ନାହଁ ?

ବ୍ରାହ୍ମଣେ

ରାଜର୍ଷି ! ବେଶ୍‌ ଚିହ୍ନୁ, କଅଁଳା ପିଲା ତଣ୍ଟିଚିପି ଧନ ନେବା ଋଷିଙ୍କୁ କିଏ ନ ଚିହ୍ନିବ, ମହାରାଜ ! ଦୟାକରି ଅନୁମତି ଦିଅନ୍ତୁ ଏ ଋଷିଙ୍କର ଯାହା ପ୍ରାପ୍ୟ ଆମ୍ଭେମାନେ ଦେଇ ଆପଣଙ୍କୁ ଋଣମୁକ୍ତ କରାଇବୁ ।

ରାଜା

(ସ୍ୱଗତ) ବିଶ୍ୱନାଥ ! କିଏ କହିବ ତୋ ଜଗତରେ ଦୟା ନାହିଁ, ସୁହୃଦୟତା ନାହିଁ; ପରଦୁଃଖ କାତରତା ନାହିଁ, ଦାନଗ୍ରାହୀ ଭିକ୍ଷୁକ ବ୍ରାହ୍ମଣ ମୋଠୁ କିଛି ପାଇବା ଆଶାରେ ଆସିଥିଲେ, ସେମାନେ ପୁଣି ତାଙ୍କର ବହୁ ଦୁଃଖ କଷ୍ଟାର୍ଜିତ ଧନ ଦେଇ ମୋତେ ଏ ବିପଦରୁ ଉଦ୍ଧାର କରିବାକୁ ଉଦ୍ୟତ ।

ବିଶ୍ୱା

ମହାରାଜ ! କ’ଣ ଭାବୁଛନ୍ତି ? ଆପଣଙ୍କ ପୁଣ୍ୟ ବଳରୁ ଏ ଭିକାରୀ ବ୍ରାହ୍ମଣ ବି ଦାତା, ଏବେ ବ୍ରହ୍ମସ୍ୱ ହରଣ କରି ବ୍ରାହ୍ମଣ ଋଣ ପରିଶୋଧ କରନ୍ତୁ ।

ରାଜା

ବ୍ରାହ୍ମଣମାନେ, ତୁମ୍ଭଠାରୁ ଆଶୀର୍ବାଦ ଛଡ଼ା ଅନ୍ୟ କିଛି ଗ୍ରହଣ କରିବା କ୍ଷତ୍ରିୟର ନିୟମ ନୁହେଁ; ଋଷିବର ! ମୋତେ ଉପାୟ କହନ୍ତୁ କିପରି ଋଣମୁକ୍ତ ହେବି ।

ବିଶ୍ୱା

ଦରିଦ୍ର ସେବା ବିକ୍ରି କରି ପାରେ ତ ।

ହରି

ତେବେ ଆପଣଙ୍କ ସେବକରେ ରଖନ୍ତୁ ।

ବିଶ୍ୱା

ମୋର ଆବଶ୍ୟକ ନାହିଁ, ଅନ୍ୟଠାରେ ସନ୍ଧାନ ନିଅ, ସମୟ ଅତୀତ ହେଉଛି । ମୁଁ ଆସେ ।

ହରି

ଗୋସାଇଁ ! ଟିକିଏ କାଶୀ ହାଟକୁ ବାଟ ଦେଖାଇ ଦିଅନ୍ତୁ ।      ( ପ୍ରସ୍ଥାନ )

 

୪ର୍ଥ ଅଭିନୟ

ପ୍ରଥମ ଦୃଶ୍ୟ

(ମାଧବ ଶର୍ମା ଜଟାଧାରୀଙ୍କର ପ୍ରବେଶ)

ମାଧବ-       ଗୀତ

ଭଣଜାରେ ! ଲୋଡ଼ ନିଜ ନିଜ ରାହାରେ ।

ଏ ଯେ କଳିକାଳ            ହଜିବ ବୁଦ୍ଧିବଳ

ମଜିବ ଖଳ କଥା ଯାହାରେ ॥

ଭଣଜା ! ଏ ଯେଉଁ ସମୟ ପଡ଼ିଛି ହାତେ ମାପି ଚାଖଣ୍ଡରେ ଚାଲିବ ?

 

ଜଟା

ମାମୁଁ ଆଉ କ’ଣ ?

 

 

ମାଧବ-       ଗୀତ

ନିର୍ବୀର୍ଯ୍ୟା ହେଲା ପୃଥ୍ୱୀ ମାନବ ଆୟୁ ତୁଟି

ଭାସିଲେ ପାପବୋଝେ ନାହାରେ ।

 

      ଭଣଜା ଆଜିକାଲି ଲୋକେ ପାପକଥାରେ ରତ ହେବାରୁ କୃଷି ହାନି, ମନୁଷ୍ୟ ହାନି; ସବୁଥିରେ ହାନି ପଡ଼ିଗଲା ।

ଜଟା

ମାମୁଁ ଏତେ କଥା ତୁମ୍ଭେ ଜାଣ, ତେବେ ବୁଢ଼ାଦିନେ ଗୋଟିଏ ଛନ୍ଦି ହେଉଥିଲ କାହିଁକି ?

 

ମାଧବ-       ଗୀତ

ମାଈପେ ହେଲେ ଷଣ୍ଢ ସ୍ୱାମୀରେ ଦେଲେ ଦଣ୍ଡ

ରାଣ୍ଡେ ଏ କାଳେ ହେଲେ ଯାହାରେ ॥

 

ଆରେ ଭଣଜା ଏ ମାଈପିଙ୍କୁ ବଳ ନାହିଁ । ତାଙ୍କ କଥା ନ ଜଗି ଚାଲିଲେ ଛାଞ୍ଚୁଣି ପାହାର ଥୁଆ । ହଇରେ ଭଣଜା । ତୋ ମାଈଁ ମୋତେ ରଖିଦେଲା ନାହିଁ, ସେ ଟିକିଏ କୋମଳାଙ୍ଗୀ । କାର୍ଯ୍ୟ ଧନ୍ଦାକୁ ପାରେନାହିଁ, ସେଥିଯୋଗୁ ଗୋଟିଏ ଚାକରାଣୀ ଦରକାର, କ’ଣ କରିବା କହିଲୁ ? ସେ ତ ରଖିଥୋଇ ଦେଲା ନାହିଁ ।

ଜଟା

ମାମୁଁ, ତେମେ ପାରୁ ନାହଁ । ମାଈଁ ଯେବେ ମୋ ହାବୁଡ଼େ ପଡ଼ନ୍ତା ?

ମାଧବ

ପାଜିଟୋକା ! ହଇରେ ଟୋକା ! ମାଈଁ ତୋ ହାବୁଡ଼େ କ’ଣ ପଡ଼ନ୍ତା ? ବଗୁଲିଆକାହାଙ୍କା

ଜଟା

ତେବେ ମୁଁ ଯାଉଛି ।

ମାଧବ

ଆରେ ଆ, ଆରେ ଆ, ମୋର ସାଥିରେ କାଇଲ, ହଇରେ ଯେଉଁ ସକାଶେ ଆଇଲେ ସେ କଥା ଟିକିଏ ବୁଝ ।

ମାମୁଁ

ଦେଖିଲୁ ଏ କିଏ ଦୁଇଜଣ ଆସୁଛନ୍ତି ।

(ଶୈବ୍ୟା ଓ ରୋହିତର ଗୀତ)

ହେ କାଶୀବାସୀ            କା’ର ଦାସ ଦାସୀ

ଲୋଡ଼ା ଅଛି କି ଆସ ଆସ ହେ ।

ଚିରକାଳ ଆଶ୍ରି            ହୋଇବୁ ବିଶ୍ୱାସୀ

ନିଆଶ୍ରିରେ ଦିଅ ବାସ ହେ ।

 

      ହେ କାଶୀବାସୀ କା’ର ଦାସ ଦାସୀ ଲୋଡ଼ା ଅଛି କି ? କିଏ ନିଆଶ୍ରିମାନଙ୍କୁ ମୂଲ୍ୟ ଦେଇ ଖରିଦ କରିବ ।

ଜଟା

ମାମୁଁ ! ଗାଈ ବାଛୁରୀ ହେଲେ ?

ମାଧବ

ଚୁପ୍‍ କହ ! ଆଲୋ ମା ? ତୋର ମୂଲ୍ୟ କେତେ, ତୁହି ବିକ୍ରୟ ହେବୁ ?

ଶୈବ୍ୟା

ଗୋସାଇଁ ! ଏକା ମୋର ?

ଜଟା

ନା, ତୋ ଘର ହାଣ୍ଡି ମାଠିଆ, କୁଲାବାଉଁଶିଆ ପର୍ଯ୍ୟନ୍ତ ।

ରୋହିତ

ଗୋସାଇଁ ! ଥଟା କରିବା ଆବଶ୍ୟକ କ’ଣ ?

ଜଟା

ତୋତେ ଦେଖିକରି ? ମାରିବି ଏକ ଚାପୁଡ଼ା ଯେ,

 

(ଚାପୁଡ଼ା ଘାତ ମାଧବ ପଡ଼ିଯାଇ)

ମାଧବ

ଆରେ ଜଟା ମାରି ପକାଇଲୁରେ, ଓହୋ;

ଜଟା

ମାମୁଁ ! ମୁଁ କ’ଣ ତମକୁ ମାରୁଥିଲି ।

ମାଧବ

ସେ ପିଲାଠେଇଁ ଯଦି ଏ ଚାପୁଡ଼ା ବାଜିଥାନ୍ତା ସେ କି ପ୍ରାଣ ପାଇଥାନ୍ତା । ଜଟା ! ତୋର ଭଲ ଲୋକ ମନ୍ଦ ଲୋକ ବିଚାର ନାହିଁ ।

ଜଟା

ଓହୋ ଭଦର ଲୋକ, ମାମୁଁ ? ବିକ୍ରୟ ହେବ କିପରି ?

ମାଧବ-       ହଉଲୋ ମା, ମୂଲ୍ୟ କହିଲୁ ଶୁଣିବା ।

 

(ଶୈବ୍ୟା ଗୀତ)

ସହସ୍ରେକ ସ୍ୱର୍ଣ୍ଣ            ପ୍ରୟୋଜନ ମମ

ଏ ଜୀବନ କାଳ- ଫାଶ ହେ ।

ହେବ କି କଲ୍ୟାଣ            କରିବେ ଗ୍ରହଣ

ଦେଇ ଧନ କର ତୋଷ ହେ ।

ଗୋସାଇଁ ! ମୋର ସହସ୍ର ସ୍ୱର୍ଣ୍ଣମୁଦ୍ରା ଆବଶ୍ୟକ ?

 

ଜଟା

ମାମୁଁ, ମୂଲ୍ୟଟା ତ ଭାରି ଲମ୍ୱା ଚଉଡ଼ା ଦେଖୁଛି, ଘରକୁ ଗଲେ ସୁନା ଲଣ୍ଡ ହଗିବ କି ?

ମାଧବ

ଆଲୋ ମା, ଏତେ ମୂଲ୍ୟ ତ ମୁଁ ଦେଇ ପାରିବି ନାହିଁ । ଅନୁମତି ଦିଅନ୍ତୁ ।

ମାଧବ

ହଉ ହେଲା ।

ଜଟା

ମାମୁ, ବାଘଛାଲ ଖଣ୍ଡେ ପିଠିରେ ବାନ୍ଧିଥା ।

ବିଶ୍ୱାମିତ୍ର

ଏଇ ଯେ ମା ଲକ୍ଷ୍ମୀ ଏଇଠି ଅଛନ୍ତି, ତୁମ୍ଭର ସ୍ୱାମୀ କାହାନ୍ତି ? ମୋ ଦକ୍ଷିଣା ପ୍ରସ୍ତୁତ ହେଲାଣି ତ ?

ଶୈବ୍ୟା

ଦେବ ! ଆପଣଙ୍କ ଆର୍ଶୀବାଦରୁ ଅର୍ଦ୍ଧେକ ପାଇଅଛୁ ।

ବିଶ୍ୱା

ଅର୍ଦ୍ଧେକ, ପୁଣି ଆଉ ଅର୍ଦ୍ଧେକ ? ସୂର୍ଯ୍ୟ ଅସ୍ତମିତ ପ୍ରାୟ ଜାଣ ?

ଶୈବ୍ୟା

ପ୍ରଭୁ ! ମୋର ସାଧ୍ୟରେ ଏହାରୁ ଅଧିକ ହେଲା ନାହିଁ । (ବ୍ରାହ୍ମଣପ୍ରତି) ପିତଃ ! ଆପଣ କୃପାକରି ଯେଉଁ ସୁବର୍ଣ୍ଣ ଦେବେ ଏହି ଋଷିବରଙ୍କୁ ପ୍ରଦାନ କରନ୍ତୁ ।

ମାଧବ

(ତଥାକରଣ)

ଜଟା

ଆରେ ବାପରେ, ଏଇ ତୋର ମହାଜନ ? ଋଷିବର କହିଲୁ କିଆଁ ?

ବିଶ୍ୱା

କିଏରେ ମୂର୍ଖ !

ଜଟା

ନାହିଁ, ନାହିଁ ହେ ଗୋସାଇଁ ! ମୁଁ ତୁମର ଖାତକ ନୁହେଁ । ଗେରୁଆ ଲୁଗା ପିନ୍ଧି ରୁଦ୍ରାକ୍ଷ ମାଳା ପକାଇ ଖରଚଟା ବେଶ୍‌ ଊଣା କରିଛି, ସୁଧ କାରବାରଟା ବେଶ୍‌ ଚାଲିଛି, ମାମୁଁ ଚାଲ ଯିବା ।

ବିଶ୍ୱା

ମା’ ଲକ୍ଷ୍ମୀ ! କ’ଣ ଆତ୍ମବିକ୍ରୟ କରି ଏ ଅର୍ଥ ସଂଗ୍ରହ କଲ ? ତୁମେ ହିଁ ସତୀ, ମୋ ଆଶୀର୍ବାଦରୁ ଅମରତ୍ଵ ଲାଭକର ।

ଶୈବ୍ୟା

ଦେବ ! ମୋତେ ଆଉ ଏ ଆର୍ଶୀବାଦ କରିବେ ନାହିଁ; ମୋତେ କଲ୍ୟାଣ କରନ୍ତୁ ମୁଁ ଶୀଘ୍ର ଏ ଦୁଃଖ ବୋଝ ବାବା ବିଶ୍ୱନାଥଙ୍କ ଶ୍ରୀଚରଣରେ ଖଲାସ କରେ ଆର୍ଯ୍ୟ !

 

(ବ୍ରାହ୍ମଣଙ୍କ ପ୍ରତି)

 

ଠାକୁରେ ! ମୁଁ ବର୍ତ୍ତମାନ ଯାହାର ଦାସୀ ସେ ମୋତେ ବିନାମୂଲ୍ୟରେ ଖରିଦ୍‍ କରିଥିଲେ, ମୋ ଶରୀର ଯେ କଡ଼ାଏ କଉଡ଼ି କି ଯୋଗ୍ୟ ନୁହେଁ ତା ମୁଁ ଭଲକରି ଜାଣିପାରୁଛି; କିନ୍ତୁ ମୋର ପ୍ରଭୁ, ଜଣେ ବ୍ରାହ୍ମଣ ନିକଟରେ ସହସ୍ରେ ସ୍ୱର୍ଣ୍ଣମୁଦ୍ର ଲାଗି ଋଣୀ, ଦାସୀ ସେହି ଋଣ ପରିଶୋଧ କରିବା ଲାଗି ଆତ୍ମ

ବିକ୍ରୟ କରୁଛି ।

ମାଧବ

ମୁଁ ଜଣେ ଗରିବ ବ୍ରାହ୍ମଣ । ମୁଁ ପଞ୍ଚଶତ ସ୍ୱର୍ଣ୍ଣ ମୁଦ୍ରାରୁ ବେଶି ଦେଇ ପାରିବି ନାହିଁ ? ଏଣିକି ତୋ ଇଚ୍ଛା ।

ଶୈବ୍ୟା

ସେଇଆ ଦିଅନ୍ତୁ, ମୁଁ ଯଥେଷ୍ଟ ଅନୁଗୃହୀତା ହେଲି ।

ରୋହିତ

ଗୋସାଇଁ ମୋ ପାଇଁ କେତେ ଦେବ ?

ମାଧବ

ତୋଠାରେ ତ ମୋର ପ୍ରୟୋଜନ ନାହିଁ ।

ରୋହିତ

ଗୋସାଇଁ ମୁଁ ସବୁ କାମ କରିବି, ତମଗୋଡ଼ ତଳେ ପଡ଼ୁଛି ମୁଁ ମା’ଙ୍କୁ ଛାଡ଼ି ରହି ପାରିବି ନାହିଁ ।

ଶୈବ୍ୟା

ପିତଃ ! ଯେବେ ଦୁଃଖିନୀ କନ୍ୟାର ଭାର ଗ୍ରହଣ କଲେ ତେବେ ତା’ର ଅବୋଧ ଶିଶୁକୁ ତା ପାଖରେ ରହିବାକୁ ଅନୁମତି ଦିଅନ୍ତୁ । ପୁତ୍ରଙ୍କ କୋଳରେ ଗଙ୍ଗା ଜଳରେ ଜୀବନ ତ୍ୟାଗ କରିବି, ଅମରତ୍ୱ ମୋ ପକ୍ଷରେ ଶୁଭ ଆଶୀର୍ବାଦ ନୁହେଁ ।

ବିଶ୍ୱା

ବତ୍ସେ ! ମୁଁ ତୁମ୍ଭର ଅମରତ୍ୱ ବର ପ୍ରଦାନ କରି ନାହିଁ, ସେପରି ଅମରତ୍ୱ ପୃଥିବୀର ଅନନ୍ତ ଯାତନାର ସଂସ୍ଥାନ ମାତ୍ର, ଯେତେଦିନ ପର୍ଯ୍ୟନ୍ତ ଜଗତ୍‍ପ୍ରାଣ ସମୀରଣ ସଞ୍ଚାରିତ ହେଉଥିବ, ଯେତେଦିନ ପର୍ଯ୍ୟନ୍ତ ପୃଥିବୀରେ ଜୀବର ବାସ ଥିବ, ତେତେଦିନ ପର୍ଯ୍ୟନ୍ତ ତୁମ୍ଭର ପିତୃଭକ୍ତି ଆଦର୍ଶ ଦାମ୍ପତ୍ୟଦାୟିତ୍ୱ, ନିଷ୍କାମ, ଆତ୍ମ ସର୍ଜନ ଜଗତରେ କୀର୍ତ୍ତିତ ହେଉଥିବ । ରମଣୀକୁଳ

ଶିରୋମଣି ଶୈବ୍ୟାଙ୍କର ନାମ ଜଗତରେ ଅମର ହୋଇଥିବ । ତୁମ୍ଭର ସ୍ୱାମୀ କାହାନ୍ତି ?

ଶୈବ୍ୟା

ଦେବ ! ସେ ଏଇଠି ନିକଟରେ କେଉଁଠି ଥିବେ, ମୁଁ ସ୍ନାନ କରିବାକୁ ଆସି ଗୋପନରେ ଆତ୍ମବିକ୍ରୟ କଲି, ତାଙ୍କ ଶ୍ରୀଚରଣରୁ ଅନୁମତି ନେଇ ପାରିଲି ନାହିଁ । ସେ ଏ କଥା ଶୁଣିଲେ ଯେ କଣ ହେବେ, ଏ କଥା ଭାବି ହୃଦୟ କମ୍ପିତ ହେଉଛି । ତାଙ୍କ ଧର୍ମ ତାଙ୍କୁ ରକ୍ଷା କରିବ, ମୁଁ ଚନ୍ଦ୍ର, ସୂର୍ଯ୍ୟ, ଭାଗୀରଥ ପୁଣ୍ୟଭୂମି ବାରାଣସୀ ଏମାନଙ୍କୁ ସାକ୍ଷ୍ୟ ଦେଇ ତାଙ୍କ ଶ୍ରୀ ଚରଣରୁ ବିଦାୟ ନେଲି । ଆପଣ ପ୍ରବୋଧ ଦେବେ ( ବ୍ରାହ୍ମଣ ପ୍ରତି ) ପିତା ଚାଲନ୍ତୁ ।

ରୋହିତ

ବାବା କାହାନ୍ତି ?

ଶୈବ୍ୟା

ଦେଖିବୁ ଚାଲେ ।

ବିଶ୍ୱାମିତ୍ର

ସ୍ୱାର୍ଥ ବିସର୍ଜନ, ଆତ୍ମ ସଂଯମ ବିଷୟରେ ମହାତପୀ, ଯୋଗୀ ଋଷିଙ୍କୁ ଯେବେ ଜଗତରେ କେହି ପରାସ୍ତ କରିପାରେ ତେବେ ସେ ଏହି ରମଣୀ ।                  ( ପ୍ରସ୍ଥାନ )

 

 

ଦ୍ୱିତୀୟ ଦୃଶ୍ୟ

ହରିଶ୍ଚନ୍ଦ୍ର ପ୍ରବେଶ- ଗୀତ

ଋଣ ତୋ ଜ୍ୱାଳା            ଏଡ଼େ ଦାରୁଣରେ

ଘଡ଼ିକେ କରୁ ଉଚ୍ଛନ୍ନ-

କେଉଁମତି ବୁଦ୍ଧି            କଲା ମତି ଭ୍ରମ

ଧରମ କରମ ସରିଲା ମୋ ଟାଣ ।

 

କି’ ଭ୍ରମରେ ପଡ଼ିଲି, କାହୁଁ ଆଣି ଋଷିଙ୍କର ଦେଣ ପରିଶୋଧ କରିବି, ମୁଁ ତ ବର୍ତ୍ତମାନ କଢ଼ାଏ କଉଡ଼ିର ଯୋଗ୍ୟ ନୁହେଁ ।

 

ଗୀତ

ଋଣ ଋଣ ହୃଦ            କରୁଛି ବିଦୀର୍ଣ୍ଣ

ଜୀବନ ଯୌବନ କିବା ପ୍ରୟୋଜନ ।

 

ଋଣ ତୋର ଜ୍ୱାଳା ଏତେଦୂର ଯେ ତୋତେ ହୃଦୟରେ ଥରେ ମାତ୍ର ଆଶ୍ରୟ ଦିଏ, ତୁ ତା’ର ସର୍ବନାଶ କରୁ । ମୁଁ କି ବୁଦ୍ଧି କଲି ନିଜର ଘଡ଼ା ନ ବୁଝି କାହିଁକି ଋଣ କଲି । ମା’ ! ବସୁମତୀ, ତେବେ ବିଶ୍ୱାମିତ୍ରଙ୍କୁ ଅର୍ପଣ କଲି, ମା’ ଦୟା କର ଯେପରି ଋଣ ମୁକ୍ତ ହୁଏ । କୁଆଡ଼େ ଗଲ ପ୍ରିୟେ ତୁମ୍ଭଙ୍କୁ ନ ଦେଖି ମୋତେ ଯେ ପୃଥିବୀ ଅନ୍ଧକାର ଦିଶୁଛି । କୁଆଡ଼େ ଗଲ, ସ୍ନାନ କରିବାକୁ ଗଲ ଆଉ ତ ଦେଖି ନାହିଁ, ଅଭାଗା ହରିଶ୍ଚନ୍ଦ୍ରର ସର୍ବନାଶ । ଯଜ୍ଞରେ ଆହୁତିଦେଇ ଜାହ୍ନବୀ କ’ଣ ମୋର ସର୍ବସ୍ୱ ହରଣ କଲା ? ହାଃ ସର୍ବଗ୍ରାସୀ ମୋ କଣକାଳ ସୁଖ ତୋ ଦେହ କ’ଣ ସହିଲା ନାହିଁ ।

( ବିଶ୍ୱାମିତ୍ର ପ୍ରବେଶ )

ବିଶ୍ୱା

ପାଗଳଙ୍କ ପରି କଣ ହେଉଛ, ଏଣିକି ଚାହଁ ଦେଖ ସୁର୍ଯ୍ୟଦେବ ପ୍ରାୟ ଅସ୍ତମିତ ।

ରାଜା

ମୋ ଶୈବ୍ୟାକୁ ଦେଖିଛନ୍ତି, ସେମାନେ କେଉଁଠି ?

ବିଶ୍ୱା

ମୁଁ ତ ତୁମ୍ଭର ଦୂତ ନୁହେ ଯେ ଆଜ୍ଞାମାତ୍ରକେ ତୁମ୍ଭଙ୍କୁ ଖବର ଦେବି । ପରିଷ୍କାର କହ, ମୋର ଦକ୍ଷିଣା ଦେବ କି ନାହିଁ ?

ରାଜା

ଦେବ, ଶ୍ରେଷ୍ଠ ବଳ ସତ୍ୟଦ୍ୱାରା ମୁଁ ଆବଦ୍ଧ । କିପରି ଦେବି ନାହିଁ ବୋଲି କହିବି; କିନ୍ତୁ ଉପାୟ କ’ଣ ? ଆତ୍ମ

ବିକ୍ରୟ କରିବାକୁ ବଜାରକୁ ଆସିଥିଲି; କିନ୍ତୁ ମୋ ମନ୍ଦ ଗ୍ରହକୁ କେହି ଗ୍ରାହକ ନାହାନ୍ତି ।

ବିଶ୍ୱା

ଗ୍ରାହକ ନାହିଁ ? ମିଥ୍ୟା କଥା, ତୁମ୍ଭେ ଚିର ଦାସତ୍ୱ କରିବାକୁ ବସିଲେ ଆଉ ପଞ୍ଚଶତ ମୁଦ୍ରା ଅଭାବ ପଡ଼ିବ ନାହିଁ ।

ରାଜା

ପଞ୍ଚଶତ କ’ଣ ? ମୁଁ ତ ସହସ୍ର ସ୍ୱର୍ଣ୍ଣମୁଦ୍ରା ଦେବାକୁ ସତ୍ୟ କରିଛି ।

ବିଶ୍ୱା

ତୋର ବୁଦ୍ଧିମତୀ ସହଧର୍ମିଣୀ ଆତ୍ମ ବିକ୍ରୟ କରି ଅର୍ଦ୍ଧେକ ପରିଶୋଧ କରିଛି ।

ରାଜା

ଶୈବ୍ୟା ଆତ୍ମବିକ୍ରୟ କରି ଋଣ ପରିଶୋଧ କରିଛି, ତେବେ ଶୈବ୍ୟା ଦାସୀ, ରୋହିତ ଦାସୀପୁତ୍ର, ହା ବିଧାତା !

ଗୀତ

ହାଇରେ କପାଳ ତୁ ଯା ଦ୍ଵିଫାଳ ନ ହେଲୁ,

ଅକଳଙ୍କ ସୂର୍ଯ୍ୟବଂଶେ କାଳିମା ଲେପିଲୁ ।

ଧିକ୍‍ ଧିକ୍‍ ବିହି

ମୋ କରମେ ଏହା ଥିଲୁ ଲିହି । ୧ ।

ଫଟା କପାଳ ତୁ ଫାଟି ନ ଯାଇ ରହିଛୁ କିଆଁ

 

ଶୈବ୍ୟା ଦାସୀ, ରୋହିତ ଦାସୀପୁତ୍ର ବା ବିଧାତା ।

ଗୀତ

ଶତ ଦାସୀ ତାକୁ ଲୋଡ଼ା, ଦାସୀରେ ଖଞ୍ଜିଲୁରେ

ମୋର ଏ ଅଲୋଡ଼ା ପ୍ରାଣ ନ ନେଇ ରଖିଲୁରେ

ମଲି ନାହିଁ ମୁହିଁ,

ହଟହଟା ହୁଏ କାହିଁ ପାଇଁ । ୨ ।

 

ଯେଉଁ ଶୈବ୍ୟାକୁ ରାଜ ଅନ୍ତଃପୁରରେ ଶତ ଶତ ଦାସଦାସୀ ଖଞ୍ଜା ସେ ପୁଣି ଆଜି ପରପଦ ମଞ୍ଚାଳି ପରାନ୍ନ ଭୋଗ କରିବ । ହା ଦଇବ ।

ବିଶ୍ୱା

ମହାରାଜ ! ମୁଁ ଭରତାଶ୍ରମରେ ଅନେକ ନାଟକାଭିନୟ ଦେଖିଛି । ଆପଣଙ୍କର ଏହି ଅପୂର୍ବ ଅଭିନୟ ସୁନ୍ଦର ହେଲେ ମଧ୍ୟ ମୋର ଦେଖିବାକୁ ଇଚ୍ଛା ନାହିଁ ।

ରାଜା

ଋଷିବର ! ଆପଣଙ୍କ ବାକ୍ୟରେ ବଜ୍ର ଅଛି ଦଗଧ୍‍ କରୁ ନାହିଁ କାହିଁକି ?

ବିଶ୍ୱା

ଦଗ୍‍ଧ ହେବାକୁ କଣ ଇଚ୍ଛା ଅଛି ? କାମନା ପୂର୍ଣ୍ଣ ହେବ, ବିଳମ୍ୱ ନାହିଁ ସୂର୍ଯ୍ୟ ଅସ୍ତହେବା ପୂର୍ବରୁ ଋଣ ପରିଶୋଧ ନ କଲେ ତୁମ୍ଭର ସପ୍ତ

ପୁରୁଷ ଧର୍ମ କର୍ମ ସମସ୍ତ ଧ୍ୱଂସ ହେବ ।

ରାଜା

ତେଜସ୍ୱୀ ! ରକ୍ଷା କରନ୍ତୁ, କ୍ରୋଧ ସମ୍ୱରଣ କରନ୍ତୁ, ମୁଁ ଆଚାଣ୍ଡାଳ ସେବା କରିବାକୁ ପ୍ରସ୍ତୁତ ।

ବିଶ୍ୱା

ଏଥର ସୁବୁଦ୍ଧି ହେଲା; ଯାଅ ଆଗେ ଅନୁସନ୍ଧାନ କର ।                  ( ପ୍ରସ୍ଥାନ )

ରାଜା

ଚାଲନ୍ତୁ ।

 

ତୃତୀୟ ଦୃଶ୍ୟ

ଚଣ୍ଡାଳଦ୍ୱୟ

ସର୍ଦାର

ଝୀମନ ।

ଝୀମନ

କି ସର୍ଦ୍ଦାର ।

ସର୍ଦ୍ଦାର

ଘାଟ ଜଗିବା ଲାଗି ଗୋଟେ ନଉକର ଧୁଣ୍ଡି ଧୁଣ୍ଡି ଥକିଗଲିଣି କାହିଁ ନାହିଁ ଯୁଟୁଚି ।

ଝୀମନ

ସରଦାରଜି, ଆଜିକାଲି ନୌକର ଯୁଟିବା ବଡ଼ ମୁସ୍‍କିଲକା ବାତ; ଦାମ୍‌ ବି ଜିଆଦା ଲାଗୁଛି । ଚଲ କାଶୀ ହାଟକୁ ଯିବା ।

ସର୍ଦ୍ଦାର

ଚଲ ଝୀମନ ଚଲ ।

ଝୀମନ

ଏ ଦେଖ ସର୍ଦ୍ଦାର, କେ ଏଲୋକଟା ଆସୁଛି ।      ( ହରିଶ୍ଚନ୍ଦ୍ର ପ୍ରବେଶ )

ହରି

କେଉଁଠି କେ କାଶୀବାସୀ ଆସ, ଆସ ଦାସ କ୍ରୟକର, କାର ଦାସ ଲୋଡ଼ା ଅଛି, କାହାର ଜଳଭାର ବହନ କରିବାକୁ ହେବ କିଏ ଗାଈ ଚରାଇବାକୁ ଚାକର ନେବ ଆସ ଆସ କିଣ ।

ଝୀମନ

କିଏ ତୁ ବିକ୍ରୀ ହେବୁରେ ?

ରାଜା

ବାପ ତୁମ୍ଭେମାନେ କିଏ ।

ଝୀମନ

ତୁ ଚିହ୍ନୁ ନାହିଁ ? ଠିକାଦାରକୁ ଚିହ୍ନୁନାହିଁ, ହାମେ ଶ୍ମଶାନ ରକ୍ଷକ ଚାଣ୍ଡାଳ ଅଛୁ, ନଉକର ଖୋଜୁଛୁ, ତୁ କଣ ବିକ୍ରୀ ହେବୁ, ତୋର ଦାମ୍‍ କେତେ ତୋର ମୁରବି କେ ଅଛି ।

ହରି

ମୋତେ କି କାର୍ଯ୍ୟରେ ନିଯୁକ୍ତ କରାଇବେ ।

ଝୀମନ

ଆରେ ଦିନତମାମ ଘୁଷୁରି ଚରାଇବୁ, ରାତିକୁ ଶ୍ମଶାନରେ ପହରା ଦବୁ । ଯେ ସବୁ ମୁର୍ଦ୍ଦାର ପୋତା ପୋଡ଼ା ହେବାକୁ ଆସିବେ ତାଙ୍କଠାରୁ ଘାଟ ମହାସୁଲ ନେଇ ପୋଡ଼ା ପୋତା କରିବାକୁ ପାରିବୁ ତ ?

ହରି

(ସ୍ୱଗତ) ହା ବିଧାତା ! କାହିଁ ରାଜ ରାଜଶ୍ୱେର କାହିଁ ଚଣ୍ଡାଳଘରେ ଶୂକର ଚାରଣ, ଦଇବ ! ତୋର ଏ ଛଳନା, ବିଶ୍ୱାମିତ୍ର ! ତୁମ୍ଭର

 

(ବିଶ୍ୱାମିତ୍ର ପ୍ରବେଶ)

ବିଶ୍ୱା

ମୋର କାହିଁକି, କ୍ଷଣେ ଅପେକ୍ଷା କର ବୁଝାଇ ଦେଉଛି ।

 

ଗୀତ

ଯେଉଁ ଧର୍ମ ନୃପ କରୁଥିଲୁ ଜପ

      ସେହି ଧର୍ମ କର୍ମ ଏହି ଥରେ ଚାହଁରେ ।

 

ମୋର କାହିଁକି ? ଯାର ଚିର ଆରାଧନା କରୁଥିଲ ତୁମ୍ଭର ସେହି ଧର୍ମରାଜଙ୍କର ଧର୍ମ- ପ୍ରତାପ ।

ଗୀତ

ବିପଦ ବେଳରେ ଧର୍ମ କେଣେ ଗଲେ

କି ସାଧ୍ୟ ତାଙ୍କର ନାହିଁ ।

ସମ୍ପଦର ବେଳେ ପାଶେ ଥାନ୍ତି ଭଲେ

ବିପଦ ବେଳରେ ନାହିଁ ।

ଜାଣୁ ନୃପ ! ‘‘ସମ୍ପଦ ବେଳେ ସର୍ବେ ସଖା

ବିପଦେ ନ ଦିଅନ୍ତି ଦେଖା ।’’

 

ହରି- ଋଷିବର ! ଚଣ୍ଡାଳ ଘରେ ଦାସତ୍ୱ କରିବି ?

 

ବିଶ୍ୱା-             ଗୀତ

ଦେଇ ମୋ ଦକ୍ଷିଣା            କରୁଥା ଭାବନା

ଏହିକ୍ଷଣି ସେ ଭାବ ନାହିଁ ।

କହେ ବାଳକୃଷ୍ଣ            ହେଲାଣି ଯଥେଷ୍ଟ

ଆତ୍ମା ବିକି ଯହିଁ ତହିଁ ।

 

      ରାଜନ୍‍ ! ଆଜି ଏକମାସ ପୂର୍ଣ୍ଣ ହୋଇଗଲା । ପଶ୍ଚିମ ଆକାଶକୁ ଚାହଁ ସୂର୍ଯ୍ୟଦେବ ପ୍ରାୟ ଅସ୍ତମିତ । ଭାବୁଛ କ’ଣ ?

ରାଜା

ଠିକ୍‍ କଥା କହିଲ ! ଆରେ ଚଣ୍ଡାଳ ଏହି ମସ୍ତକରେ ତୃଣ ରଖ ତୋର ଦାସ ହେଲି, ନେ, ମୋତେ ଋଣ ମୁକ୍ତ କର । ପାଞ୍ଚଶତ ସ୍ୱର୍ଣ୍ଣମୁଦ୍ରା ଏହି ଋଷିବରଙ୍କୁ ଦେ ।

ସର୍ଦାର

ପାଆଁଶ ।

ଝୀମନ

ସର୍ଦାରଜି ! ପାଟି କରୋ ମତ୍‍; ବଡ଼ା ଶସ୍ତା ଭଲା ଆଦିମ୍‍ ଏସା ମାଲୁମ୍‍ ହୋତା; ଆଚ୍ଛା ତୋ ନାମଟା କ’ଣ ଥିବାର ଅଛି ।

ହରି

ମୋ ନା ହରି ।

ସର୍ଦାର

ହରିଆ ବାଃ ବାଃ ଖାସା ନା; ଲେ ଠାକୁର ବାବା ! ଗଣିକରି ଲେ; ଆର୍‍ ଯଦି ଆଦିମ ମିଲିବ ହାମକୁ ଜୁଟାଇବୁ, ବାବାଜି ବେଶ୍ ବେପାର ଲଗେଇଛୁ, ଖାସା କାମ କରୁଛୁ, ଚଲ ହରି, ଏ ବେଶ ଆଉ ଚଳିବ ନାହିଁ । ଆମ ବେଶ ପିନ୍ଧିତେ ହବ ।

 

(ବେଶ ପିନ୍ଧାଇ ପ୍ରସ୍ଥାନ)

ବିଶ୍ୱା

ଧନ୍ୟ ହରିଶ୍ଚନ୍ଦ୍ର ! ଧନ୍ୟ ଶୈବ୍ୟା, ଧନ୍ୟରେ ରୋହିତ ।

 

୫ମ ଅଭିନୟ

୧ମ ଦୃଶ୍ୟ

(ଶୈବ୍ୟା ଗୀତ ଗାଇ ଗାଇ ପ୍ରବେଶ)

 

ହାଇରେ ଦାରୁଣ ବିହି ଏହା ଥିଲା ତୋର ମନେ

ନ ନେଇ ଅଲୋଡ଼ା ପ୍ରାଣ ହଟାକରୁ କି କାରଣେ ।

ହା ଦଇବ । ଏଇଆ ଏ ଅଭାଗିନୀ କର୍ମରେ ଲେଖି ଥିଲୁ ।

ଗୀତ

ଦିବାନିଶୀ କାର୍ଯ୍ୟେ ଖଟି ଦଣ୍ଡେ ନ ପାଉଛି ଶାନ୍ତି

ବ୍ରାହ୍ମଣୀ ସଦା ଅଶାନ୍ତି ମୋ ଶିରୀ ନ ଦେଖି ଦିନେ ।

 

କଅଣ କରିବି । ସଦାବେଳେ କାର୍ଯ୍ୟ କରି କରି ମରୁଛି । କିନ୍ତୁ ଦିନେ ବ୍ରାହ୍ମଣୀଠାରୁ ସୋଦା ଗାଳି ମାଡ଼ କହୁଣିରୁ ରକ୍ଷା ପାଇଲି ନାହିଁ । ଏଇତ ପାଟି ଶୁଭୁଛି ଆସିଲା ପରା, ଦଉଡ଼ିଟା ଅଧାବଳା କରିଛି ଯାଉଛି ବଳିଦିଏ ।

 

କଦମ୍ୱା

କିଲୋ, ଏଠି ନାହିରେ ତେଲ ପକାଇ ଦଉଡ଼ି ବଳୁଛୁ ଆଉ କିଛି କାମ ନାହିଁ କିଲୋ ?

ଶୈବ୍ୟା

ଆପଣ ପରା କହିଥିଲେ କୁଅ ଦଉଡ଼ିଟା ପୁରୁଣା ହୋଇ ଯାଇଛି ।

କଦମ୍ୱା

ମୁଁ କଣ କହିଥିଲି ଦଉଡ଼ିଟାକୁ ବେଳ ପହଡ଼େଯାକେ ବସି ବଳୁଥିବୁ । ଏମିତିଆ ଠାପେଇ ତ ମୋ ବୋପା ଦେଖି ନ ଥିଲା ।

ଶୈବ୍ୟା

ମା’ ଆପଣ ପରା ହୁକୁମ ଦେଇଥିଲେ ?

କଦମ୍ୱା

କିଲୋ ଭାରି ଉପରମୁହିଁ ହୋଇଗଲୁଣି ।

 

(ଢଗ) ବା ସୁଲୁ ସୁଲୁ ବହିଲା,

 

ଟାକୁଆ ଗାଲରେ ଟିକୁଲି ଲଗାଇ

 

ଟୋକାଙ୍କୁ ଅନାଇ ମୋହିଲା ।

 

କିଲୋ କାମ ପାଇଟି କରିବୁ ନାହିଁ ବାରିଛୁଇ ହୋଇ ବସିବୁ ।

ଶୈବ୍ୟା

ଏହା ମୋ କପାଳ ଶୁଣାଉଛି ।

କଦମ୍ୱା

(ଢଗ)

 

‘‘ଆଲୋ ଅମଞ୍ଜ ମଞ୍ଜିଆ ତାଳ,

 

ଜାଣିଥିଲୁ ଯେବେ ଫଟା କପାଳ

 

କିଆଁ ପାତୁଥିଲୁ ଥାଳ ।’’

 

ଯାହାର ଏତେ ସଉକ ଥିଲା, ସେ ପରଘରେ ମୁଣ୍ଡ ବିକୁଥିଲା କାହିଁକି ମ ।

ଶୈବ୍ୟା

ମା’ ଏପରି କଟୁ କଥା କହିବା ଆପଣଙ୍କ ବିଚାରରେ କଣ ଭଲ ମନେ କରୁଛନ୍ତି ।

କଦମ୍ୱା

କିଲୋ, ‘‘ଏଡ଼େ ସୁଆଗ, ପଖାଳଭାତରେ କସିପିଆଜ ଗନ୍ଧେଇ ଉଠିଲା, ପୋଇଲୀ ଜାତିକି ସରମ ନାହିଁ; ମୋ ପାଟିରୁ ଆଉ କଣ ବାହାରୁଥିଲା ।

ଶୈବ୍ୟା

ମା’ ଯେତେବେଳେ ପୋଇଲୀ କାର୍ଯ୍ୟ କରୁଛି ସେତେବେଳେ ପୋଇଲୀ ନୁହେ କଣ ସାଆନ୍ତାଣୀ ।

କଦମ୍ୱା

‘‘ବାଳିଆ ବାଉଁଶ କଣି, ଭାବୁଥଲା ଟୋକି ହେବ ଘରଣୀ ବୁଢ଼ା ବ୍ରାହ୍ମଣକୁ ଘେନି ।’’

ଶୈବ୍ୟା

(କ୍ରନ୍ଦନ)

କଦମ୍ୱା-       ଗୀତ

କହଲୋ ସକେଇ କହ ପୋଡ଼ାମୁହିଁ

ପୁଅ ତୋ ଯାଇଛି କାହିଁ;

 

ଶୈବ୍ୟା-       ଗୀତ

କରୁଥିଲା ଭୋକ ହୋଇଲା

ଅଝଟ ଦାଣ୍ଡକୁ ଦେଲି ପଠାଇ ।

 

କଦମ୍ୱା-       ଗୀତ

କିଲୋ ଖାଇବାରେ ଏତେ ଟକଳା ।

 

ଶୈବ୍ୟା-       ଗୀତ

ପେଟ ଆତୁରେ ହୋଇଛି ବିକଳା ।

 

କଦମ୍ୱା-       ଗୀତ

ହଇଲୋ କୁତି ପେଟିଏ ଠୁଙ୍କି,

କହୁ ଲାଙ୍ଗୁର ହଲାଇ ।।

ହଇଲୋ ଖାଇପିଇ ମୋ କତିରେ ବେମାନି ହେଉଛୁ ।

 

ରୋହିତ

ମା’, ମୁଁ ମରିଗଲି ମରିଗଲି ତମ ଗୋଡ଼ତଳେ ପଡ଼ୁଛି । ତମେ ମୋତେ ମା’ ପାଖରେ ମାରନାହିଁ, ମା’ କାନ୍ଦିବେ ।

ଜଟା

ତେବେ ମଜାହେବ କଣରେ ଟୋକା; ତୁ ବୋପା ଲୋ ମାଆଲୋ ଡକା ପକାଉଥିବୁ, ମା’ ପଛରେ ଠିଆ ହୋଇଥିବ ତେବେ ସିନା ମାଡ଼ ଖାଇଲେ ମଜାହେବ ।

କଦମ୍ୱା

କଣ କିରେ ଜଟା କଅଣ ମ ? ପିଲାଟାକୁ ମାରୁଛୁ କାହିଁକି ?

ଜଟା

ମାରିବି ନାହିଁ ? ଗୋରୁ ଗାଈଗୁଡ଼ାକ ଛିନଛତର ହୋଇ ୟା ବାରି ତା ବାରିରେ ପଶୁଛନ୍ତି, ମାରିବି ନାହିଁ ?

କଦମ୍ୱା

ମା’ ଆଡ଼େଇ ଯିବ, ପିଲାମାଡ଼ ଖାଇବ ଏପରି ବୋଲଣା କାମ କରିବ କାହିଁକି ?

ଶୈବ୍ୟା

ମା’, ଏଥର କ୍ଷମା କରନ୍ତୁ, ସେ ଆଜିଠାରୁ ସାବଧାନ ହୋଇ କାମ କରିବ, ଆହା ! ପୁତ୍ରର ମୋର କୋମଳ ଦେହଟି ବେତ୍ରାଘାତରେ କ୍ଷତ ବିକ୍ଷତ ହୋଇଯିବ ।

କଦମ୍ୱା

କୁଆଡ଼େ ଯିବି ଲୋ ମା’, କାଳ କ’ଣ ଲେଉଟି ପଡ଼ିଲା, ନା ପୃଥିବୀରେ ଆଉ ଧର୍ମ ନାହିଁ । ଜୀବଥିଲେ କେତେ କଥା ଦେଖାଯାଏ, ଏଁରେ ଜଟା । ଏ କଣ କହୁଛି ଶୁଣିଲୁ, ଗରିବପିଲା ଦେହ ପୁଣି ଲହୁଣୀପରି କୋମଳ, ଚାକରାଣୀ ପିଲା ମାଆଙ୍କର ଗେଲ ବୋହିଯାଉଛି ଦେଖ, ତାର ଭଲଲୋକ ପିଲାପରି କଷ୍ଟହେବ । ଆଲୋ ମା’, ଯାର ଏତେ ସୁଆଗ ସେ ପର ଘରକୁ ଚାକିରୀ କରି ଆସିବା ଉଚିତ ନୁହେଁ ! ହଇରେ ଖଣ୍ଡିଆ ଟୋକା କୁଆଡ଼େ ଯାଇଥିଲୁ କହ ? (ମାରିବା)

ମାଧବ

ରହ, ରହ, ରହ, ଏ କଣ ପିଲାଟାକୁ କାହିଁକି ମାରୁଛ ?

କଦମ୍ୱା

ତମକୁ କିଏ କହିଲ ଏଠାକୁ ଆସିବାକୁ । ପୋଇଲୀ ସୁଆଗ ଦେଖାଇ ହେଉଚ । ତମର ପାଟି ଫିଟାଇବାର ଦରକାର ନାହିଁ । ଭଲ ଯଶା ଯେବେ ପାଖେଇ ଯା ।

ଶୈବ୍ୟା

ପିତା ମୋ ପୁଅକୁ ରକ୍ଷା କରନ୍ତୁ ।

କଦମ୍ୱା

(ପ୍ରହାର କରି) ତୋତେ କ୍ୟା କହୁଁ ତୋ ପିତାକୁ କ୍ୟା କହୁଁ । (ଛାଞ୍ଚୁଣି ଫୋପାଡ଼ି ଦେଇ) ଯା ଖଣ୍ଡିଆ ଖେଣ୍ଟା । ବୁଢ଼ା ପୋଇଲୀ ମାଇପକୁ ଘେନିକରି ରହ, ମୁଁ ଯାଉଛି ।

ମାଧବ

(ଉଠି) ଆସନ୍ତୁ, ଲକ୍ଷ୍ମୀ ସାଆନ୍ତାଣୀ । ତମ ଗୋଡ଼ତଳେ ପଡ଼ୁଛି ଫେରି ଆସନ୍ତୁ, ଛାଞ୍ଚୁଣି ପ୍ରହାର ଦେଇ ମୋ ଚଉଦ ପୁରୁଷ ପିତୃ ପିତା ମହଙ୍କୁ ଉଦ୍ଧାର କରନ୍ତୁ, ମୁଁ ଯାଉଛି । [ପ୍ରସ୍ଥାନ]

କଦମ୍ୱା

ଦେଖିଲୁ ଜଟା ମାଡ଼ ସର୍ବ ଜାଣେ । ହଇରେ ଖଣ୍ଡିଆ କୁଆଡ଼େ ଯାଇଥିଲୁ କହ ।

 

(ରୋହିତ ଗୀତ)

ମା ସତ କହୁଛି ମୁଁ ଯାଇ ନ ଥିଲି କେଣେ

ଥିଲି ସଦନେ,

ତୁମ୍ଭ ତୁଣ୍ଡ କଥା ଶୁଣିଲାକ୍ଷଣି ମୁଁ ଭୟ ମଣି,

ଗଲି ଗୋପନେ

ମା ସତ କହୁଛି, ମୁଁ କୁଆଡ଼େ ଯାଇ ନଥିଲି ଏଇଠି ଥିଲି ।

 

କଦମ୍ୱା

ମୋତେ ଦେଖି ଡରିକରି ପଳାଇଲୁ, ମୋତେ କଣ ଡାଆଣି କରି ପକାଇଲୁ କହ । ଆଉ ଦିନେ ଯିବୁନାହିଁ ।

ରୋହିତ-                               ଗୀତ

ନାହିଁ ଯିବି ନାହିଁ ମୁଁ ଦିନେ ବନ୍ଧାଥିବି ଶ୍ରୀଚରଣେ,

ଯା କହିବ ଆଜ୍ଞା ହେବ ପାଳିବି ମୁଁ ଅନୁକ୍ଷଣେ ଯେ ।

ମା’ ତୁମ୍ଭଙ୍କୁ ନ କହି କୁଆଡ଼େ ଯିବି ନାହିଁ ମା’ ତୁମ୍ଭେ କୁହ ।

 

ଶୈବ୍ୟା

ବାପରେ ! ସନ୍ତାନର ନିରାପଦ ସ୍ଥାନ ମା’ କୋଳ; କିନ୍ତୁ ସେତେକ ତୋତେ ଦେବା ପାଇଁ ମୋର ସ୍ୱାଧୀନତା ନାହିଁ । ଅନାଥ ନାଥ ଦୀନବନ୍ଧୁଙ୍କୁ ଡାକ, ମୁଁ ପୋଡ଼ାମୁହୀଁ ଏଠୁ ଯାଉଛି ।

କଦମ୍ୱା

ଯିବୁ କୁଆଡ଼େ ମ ମୋତେ ଆଜ୍ଞା ନ କହି ଚାଲିଯାଉଛୁ ଜାଣିଛୁଟିକି ମୁଁ ସାଆନ୍ତାଣୀ ତୁ ପୋଇଲୀ ।

ଶୈବ୍ୟା

ମା’ ମୁଁ ଜାଣେ, ଆଚ୍ଛାକରି ତୁମ୍ଭଙ୍କୁ ଜାଣେ । ଦାସୀ ଯେଉଁଦିନୁ ତୁମ୍ଭର ଦାସତ୍ୱ ସ୍ୱୀକାର କରିଛି, ଯେଉଁଦିନୁ ସ୍ୱାଧୀନତା ବିକ୍ରୀ କରିଛି, ସେ ଦିନୁ ମୋ ଇହ ସଂସାରର ସର୍ବସ୍ୱ ତୁମ୍ଭ ଶ୍ରୀଚରଣରେ ଅର୍ପଣ କରିଛି, ମା’ ମୁଁ ଜାଣେ କେବଳ ଏ ଦେହ ତୁମ୍ଭର ଦାସୀ ନୁହେଁ, ମୋ ମନ ପ୍ରାଣ ତୁମ୍ଭର ଦାସୀ; ଚିନ୍ତା ଅନୁଭବ ତୁମ୍ଭ ଦାସୀ, ସ୍ନେହ ସୁଖ ଶାନ୍ତି ବାତ୍ସଲ୍ୟ ତୁମ୍ଭର ଦାସୀ, ମୋର ନିଜର କିଛି ସୁଖ ଦୁଃଖ ନାହିଁ । ସବୁ ମା’ ତୁମ୍ଭର, ମା’ ମୁଁ ଜାଣେ ଯେବେ ଏ ଦଗ୍‍ଧପ୍ରାଣ ବେତ୍ରାଘାତ ଦେଖିଲେ ଫାଟିଯାଏ, ତେବେ ତୁମ୍ଭେ ଅନୁମତି ଦେଲେ ହସିବାକୁ ହେବ । ମା’ ମୁଁ ଜାଣେ ଯେବେ ପୁତ୍ର ମୁଖ ଚୁମ୍ୱନ କଲେ ଏ ପୋଡ଼ା ମୁଖରେ ଟିକିଏ ହସ ଆସେ ତେବେ ତୁମ୍ଭ ଭ୍ରୁକୁଟିରେ ସେ ହସକୁ ଲୁଚାଇବାକୁ ହେବ ।

କଦମ୍ୱା

ସବୁ ଜାଣୁ ତ ଦେଖ ଆଉ ଦିନେ ମୋତେ ନ କହି କୁଆଡ଼େ ଯିବୁ ନାହିଁ ।

 

ରୋହିତ-       ଗୀତ

ଧରୁଛି ମା’ ତୋ ଚରଣ            କ୍ଷମା କର ଆଜି ଦିନ

ଏ ଜୀବନ ଆଜୀବନ ଥିବି ସଦା ଜାଗରଣେ ।।

ମା’, ଆଉ ଦିନେ କୁଆଡ଼େ ଯିବି ନାହିଁ । ଗଲେ କୋଡ଼ିଏ ପାହାର ଖାଇବି ।

 

ଜଟା

ମାଈଁ, ମାଈଁ ଅଇଛିକା ଦଶ ପାହାର ଦେ ।

ଶୈବ୍ୟା

ଗୋସାଇଁ ତୁମ୍ଭର କ’ଣ ଦୟା ନାହିଁ ତୁମ୍ଭର କି ଏହି ବିବେକ ।

ଜଟା

ମତେ ଜବାବ ଦେଉଛୁ ଦେଖ କ’ଣ କରୁଛି । (ରୋହିତକୁ ଧରି)

ଶୈବ୍ୟା

କଅଣ କରିବ ବ୍ରାହ୍ମଣ, କ’ଣ ଦେଖାଇବ, ଏ ପାଷାଣ ହୃଦୟ ଆଉ କେତେ ସହି ପାରିବ । ତାହା ଦେଖାଇବ, ବ୍ରାହ୍ମଣ, ତୁମ୍ଭେ ଜାଣ ମୁଁ କଣ ଦେଖିଛି ? ତୁମ୍ଭେ ଜାଣ ମୁଁ କଣ ସହିଛି ? ଜାଣକି ବ୍ରାହ୍ମଣ ସହସା, ପଲ୍ଲବିତ ଶାଖାପ୍ରଶାଖା ପ୍ରସାରିତ ବଟ ବୃକ୍ଷ ବଜ୍ରପାତରେ ଦଗ୍‍ଧ ହେବାର ଦେଖିଛି; ଅନନ୍ତ ଅତଳ ସ୍ପର୍ଶ ମହାସାଗର ସୃଷ୍ଟି ହୋଇଛି ତାହା ଦେଖିଛି, ଜାଣ ବ୍ରାହ୍ମଣ ତୁମ୍ଭେ କାହା ହାତ ଧରି ପ୍ରହାର କରୁଛ, ମୁଁ ଠିଆ ହୋଇ ଦେଖୁଛି ।

ଜଟା

ଏଟା କଣ ରାକ୍ଷସୀ ନା ପିଶାଚୀ; ଆଚ୍ଛା ଦାସୀ ତ ମାମୁ ଆଣିଛି ? ନେ ନେ ତୋ ପୁଅକୁ ନେ । (ପ୍ରସ୍ଥାନ)

କଦମ୍ୱା

ଆରେ ଜଟା ଗଲୁ କୁଆଡ଼େ ମ [ପ୍ରସ୍ଥାନ]

ରୋହିତ

ମା’, ମା’

ଶୈବ୍ୟା

ମୋ ଦୁଃଖିଧନ ଅଞ୍ଚଳନିଧି । (କୋଳେ ନେଇ ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

[ପତ୍ନୀ ସହିତ ନାଗରିକର ପ୍ରବେଶ]

ନାଗରିକ

ମୁଁ ଚାଲିଲି, ଏ ଶାଳୀ ପାଖରେ ଆଉ ରହି ହେବ ନାହିଁ ।

ପତ୍ନୀ

ହଇରେ ଖଣ୍ଡିଆ, ଜିନିଷ ପତ୍ର ନେଇ କୋଉ ମାଇପ ପାଖକୁ ଯାଉଛୁ ।

ନାଗରିକ

ମୋ ଇଚ୍ଛା ଯୁଆଡ଼କୁ ହେବ ସିଆଡ଼େ ଯିବି ।

 

ପତ୍ନୀ-       ଗୀତ

ହା ସାପଖିଆ ମଲୁ ନାହିଁ

ଯମ ଡାକୁଥିଲା ଗଲୁ ନାହିଁ

ଘରଦ୍ୱାର ମୋର             କରୁ ହୁରୁ ଜୁରୁ

ଅଜରା ଖଣ୍ଡିଆ ଥିଲୁ କାହିଁ । ୧ ।

 

      ଯମ ଏତେ ଲୋକଙ୍କୁ ନେଉଛି ଏ ଖଣ୍ଡିଆକୁ ନେବାକୁ କଣ ଡରୁଛି, ହଇରେ ଖଣ୍ଡିଆ କୁଆଡ଼କୁ ବାହାରିଛୁ ?

ପୁ-       ତୋ ସାଙ୍ଗରେ ମୋର ଚଳିବ ନାହିଁ, ତୋ ମୁହଁ ଚାହିଁକରି ନାହିଁ । ଯାଉଛି କୋଉଠି ଗୋଟାଏ ରାଣ୍ଡ ରଖି ରହିବି । ଯାହା ଟଙ୍କା ପଇସା ତାକୁ ଦେବି ।

 

ସ୍ତ୍ରୀ-             (ଗୀତ)

ରାଣ୍ଡଘରେ କେଉଁ ଗୁଣରେ

ଯାଉଅଛୁ ଖଣ୍ଡ ଆତୁରେ

ଦାଣ୍ଡରୁ ଆଣିଲେ ହାଣ୍ଡିରେ ପକାଉ

କି ହୁଣ୍ଡି ରଖିଛୁ ଦେବୁତୁ ନେଇ । ୧ ।

ରାଣ୍ଡଘରେ ମାଗଣା ପଶିବୁ ?

(ବିଶ୍ୱାମିତ୍ର ପ୍ରବେଶ)

 

ବିଶ୍ୱା

ତୁ କିଏରେ ବାବା ?

ନାଗରିକ

ଦେଖିଲ ଗୋସାଇଁ ଯାହା ଯେଉଁଠୁ ଆଣି ୟାକୁ ଦେଲି ସବୁ ତା ବୋପା ଘରକୁ ପଠାଇ ଦେଲା, ଯାଉଛି ଗୋଟାଏ ରାଣ୍ଡ ଛନ୍ଦି ହୋଇ ମୋ ବାଟ ମୁଁ କରିବି ।

ବିଶ୍ୱା

ସେ ତୋର କ’ଣ ହୁଏ ?

ନାଗ

ସେ କିଏ ବୁଝିପାରୁନାହଁ, କି ଆପଣଙ୍କର କ’ଣ ନାହିଁକି ? ହାତରୁ ତ ଏ ପର୍ଯ୍ୟନ୍ତ ପାଣି ମରିନାହିଁ ।

ବିଶ୍ୱା

କ’ଣ କହୁଛୁ ମୁଁ ବୁଝିପାରୁନାହିଁ ।

ନାଗ

ବୁଝିପାରୁନାହିଁ । ଏତେ ହାକିମୀ ଆଉ କାହାର ହୁଅନ୍ତା ତୃତୀୟ ପକ୍ଷ, ତୃତୀୟ ପକ୍ଷ ।

ବିଶ୍ୱା

ତୃତୀୟ ପକ୍ଷ କଣ ? ଏ ବାଳିକାଟି ତୋର ଝିଅ ।

ନାଗ

ନିହାତି ମନ୍ଦ ଅନୁମାନ କରି ନାହାନ୍ତି, ବୟସ ଆଉ ହାକିମିରେ କନ୍ୟା କିନ୍ତୁ ସମ୍ପର୍କରେ ଭାର୍ଯ୍ୟା ।

ବିଶ୍ୱା

ଭାର୍ଯ୍ୟା ? ତୋ ସହଧର୍ମିଣୀ, ଏତ ବାଳିକା ।

ନାଗ

ଆଜ୍ଞା ଇହାକୁ ସହଧର୍ମିଣୀ କହନ୍ତି, ଏହା ପୂର୍ବ ଦୁଇଟିଙ୍କୁ ବିଶ୍ୱାମିତ୍ରଙ୍କୁ ଦେଇଛି ।

ବିଶ୍ୱା

ବିଶ୍ୱାମିତ୍ରଙ୍କୁ କଣ ଦେଇଛୁରେ ।

ନାଗ

ଆହେ ଯମକୁ ଦେଇଛି ଦୁହେଁ ତ ସର୍ବଗ୍ରାସୀ, ସେଥିଲାଗି କହିଲି ବିଶ୍ୱାମିତ୍ରଙ୍କୁ ଦେଇଛି ।

ବିଶ୍ୱା

ବାଃ ବାଃ, ମୋ ଉଚ୍ଚାଭିଳାଷିତା ପୂର୍ଣ୍ଣ ହେଲା, ଦେଖୁଛି କ୍ଷତ୍ରିୟ ଥିଲି ଋଷି ହେଲି କ୍ରମେ ଦେବ ଉପାଧି ଲାଭକଲି । କିନ୍ତୁ ଲୋକ ଚକ୍ଷୁରେ ଯମ ହୋଇ ସାରିଲିଣି ।

ନାଗ

ଯମଋଷି ମୋର ଆଉ କୁଆଡ଼କୁ ଯିବାର ଦରକାର ନାହିଁ । ଆପଣ ଦୟାକରି ଏ ଗଣ୍ଠିଳା ପତ୍ର ଦାନ ନେଇ ଦକ୍ଷିଣା ବାବତ୍‍କୁ ଏ ତୃତୀୟ ପକ୍ଷଟି ନିଅନ୍ତୁ ।

ସ୍ତ୍ରୀ

ବାଡ଼ିପଶା ମୋତେ ଦକ୍ଷିଣାକୁ ଦେବୁ ଦାନ୍ତ ଝାଡ଼ି ଦେବିଟି ଚାଲେ ଖଣ୍ଡିଆ ।

ବିଶ୍ୱା

ତ୍ରିବିଦ୍ୟା ସାଧନ କରି ଯେଉଁ ଉଚ୍ଚାଭିଳାଷ କରିଥିଲି ତା ପୂର୍ଣ୍ଣ ହେଲା । କ୍ରମେ ନିଉନରୁ ନିଉନକୁ ଆସିବାକୁ ପଡ଼ିଲା, ଦେଖାଯାଉ ।      (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

(ରୋହିତ ଓ ସଙ୍ଗୀ ପିଲାମାନେ)

(ଗୀତ)

ଦେଖ ଏ ଚମ୍ପା ବଧୁଲି      ଫୁଟିଛି ଭଳିକି ଭଳି

ଯାଏ ମାନସ ଭୁଲି ।

ଅଶୋକ ମଲ୍ଲୀ ମଣ୍ଡାର ଯୁଇ ସେବତୀ ଟଗର

ଦିଶେ କେଡ଼େ ମନୋହର ପବନେ ଯାଆନ୍ତି ଝୁଲି ।

କୁନ୍ଦ ମୁଚୁକୁନ୍ଦ ସାର, ଛୁରୀଅନା ନାଗେଶ୍ୱର,

କରି ଗୁଣୁ ଗୁଣୁ ସ୍ୱର ଭ୍ରମର କରଇ ଅଳି ॥

 

ରୋହିତ- ଭାଇ ଦେଖିଲ କି ସୁନ୍ଦର ଫୁଲଗୁଡ଼ିଏ ଫୁଟିଛି ।

୧ମ

ହଁ, ଆଜି ଉଦ୍ୟାନଟି ବଡ଼ ସୁନ୍ଦର ଦେଖାଯାଉଛି ବଡ଼ ଫୁଲଗୁଡ଼ିଏ ଫୁଟିଛି ।

ରୋହିତ

ଭାଇ ଆମର ଯେଉଁ ବଗିଚା ଅଛି ସେଥିରେ ୟାଠାରୁ ଭଲ ଭଲ ଫୁଲ ଫୁଟେ ।

୨ୟ

ହଇରେ ତୁ ଗୋଟାଏ ପୋଇଲୀ ମାଇପ ଥୋଇଲି ଛୁଆ ତୋର ଗୋଟାଏ ବଗିଚା କୁଆଡ଼ୁ ଆସିଲା ମ ?

ରୋହିତ

ହଁ ଭାଇ ମୁଁ ଗରୀବ ପ୍ରକୃତ ମୁଁ ପୋଇଲୀ ଛୁଆ ମନଟା ଭ୍ରମ ହୋଇଗଲା କଣଗୁଡ଼ାଏ କହି ପକାଇଲି ।

୧ମ

ଆଚ୍ଛା ତୁ ବେଲପତ୍ର ତୋଳ ଆମ୍ଭେମାନେ ଅନ୍ୟ ଫୁଲ ତୋଳୁଛୁ ।

 

 

(ରୋହିତ ଫୁଲ ତୋଳୁ ତୋଳୁ ପଡ଼ିଯାଇ)

ଭାଇ ଭାଇ, ଏ କଣ ମୋତେ କଣଟାଏ କାମୁଡ଼ି ଦେଲା ।

 

ସମସ୍ତେ

ଆରେ ସାପଟାଏରେ      (ପଳାୟନ)

ରୋହିତ

ଭାଇମାନେ କୁଆଡ଼େ ପଳାଇଗଲ, ଓହୋ କ’ଣ କରିବି ।

 

 

ଗୀତ

କାହିଁ ଛାଡ଼ିଗଲ ଭାଇ      ଛାଡ଼ିଗଲା ଜୀବ,

ନ ହେଲେ କେହି ମୋର ସାହା ।

ଭାଇ କୁଆଡ଼େ ଗଲ, ଆସ ଥରେ ଏ ବିପଦ ବେଳେ ଟିକିଏ ପଚାରୁ ନାହଁ ?

 

ସଖାମାନେ

ରୋହିତ, କଣ ହେଲା କଣ ହେଲା ।

 

ରୋହିତ-       ଗୀତ

ପଦରେ ଭୁଜଙ୍ଗ            ଦଂଶି ଜଳେ ପିଣ୍ଡ

ଅନ୍ଧକାର ଦିଶେ ଏ ସାରା ବ୍ରହ୍ମାଣ୍ଡ ।

ଚାଣ୍ଡେ ଯାଅ ଭାଇ            କହ ମୋହ ପାଇଁ

ଦେଖୁ ଥରେ ଆସି ମାଆ ।

ଭାଇ ! କହ ମୋ ମା’- ଦେ

 

ସଖାମାନେ

ହେ ୟାର ତ ପ୍ରାଣ ଛାଡ଼ିଗଲା । କଣ କରିବା; ଚାଲ ତା ମାକୁ ଡାକିଦେବା ।

ଅନ୍ୟ

ନାଇଁ ନାଇଁ ସୁକୁ ସୁକୁ ହେଉଛି, ଫୋପାଡ଼ି ଦେଇଯିବା; ନା ଚାଲ ଟେକି ନେଇଯିବା, ତେଣିକି ଯାହା ହେଉ ।      (ତଥାକରଣ)

 

୬ଷ୍ଠ ଅଭିନୟ

୧ମ ଦୃଶ୍ୟ-

( ଶ୍ମଶାନ )

ହରିଶ୍ଚନ୍ଦ୍ର

କି ଭୟଙ୍କର ରଜନୀ; ଆଜି କଣ ପ୍ରଳୟ ଅନ୍ଧାରଦ୍ୱାରା ରଜନୀ ଆବୃତ୍ତ; ପ୍ରଳୟ ହେଉ ସୃଷ୍ଟି ରସାତଳକୁ ଯାଉ ମୋର କଣ ଅଛି ? ଆକାଶ ତୁ ହରିଶ୍ଚନ୍ଦ୍ର ହୃଦୟ ଛବି ପ୍ରତିଫଳିତ କରୁଛୁ ! ମାତ୍ର ଏ ହୃଦୟରୁ ସମସ୍ତ ଆଲୋକ ନିର୍ବାପିତ ହୋଇଛି । ସ୍ନେହ ନାହିଁ, ମାୟା ନାହିଁ, ମମତା ନାହିଁ, ସହାନୁଭୂତି ନାହିଁ । ସକାଳଠାରୁ ସନ୍ଧ୍ୟାଯାଏ ପୁଣି ସନ୍ଧ୍ୟାଠାରୁ ସକାଳଯାଏ ଦେଖୁଛି, ଅନେକ ମୃତଦେହ ସତ୍କାର ପ୍ରଜ୍ଜ୍ୱଳିତ ଯୁଇଗାତ ପାଖେ ବାସ ଏବଂ ଅନେକ ଶବପରେ ଶବର ବିକୃତ ମୁଖ ଦର୍ଶନ, ବାଳକ ଯୁବତୀ ବୃଦ୍ଧମାନଙ୍କ ରୋଦନ ଶୁଣିବା ମୋର ନିତ୍ୟ ବ୍ରତ । ବିଧବାର ଆର୍ତ୍ତନାଦଦ୍ୱାରା ମୋ ହୃଦୟ ଆଉ ଚମକିତ ହେଉନାହିଁ । ପୁତ୍ରଦ୍ୱାରା ଜନନୀ ବକ୍ଷରେ କରାଘାତ କଲେ ମୋ ପ୍ରାଣରେ ଆଉ ବ୍ୟଥା ଲାଗୁନାହିଁ । ବ୍ୟଥା, ବ୍ୟଥା କାହା ଲାଗି ? ଜୀବନ ସଖା ମୋ ଶୈବ୍ୟା କାହିଁ ? ଆହା, ଆହା, ସେ କଣ ଆଉ ଅଛି । ଆହା ! ମୋର ସୁକୁମାର ନୟନ ପିତୁଳା ରୋହିତାଶ୍ୱ ଭଲରେ ଅଛି । ଦେଖିବି ? ନା, ସେ ଭାଗ୍ୟ ନାହିଁ । ଏ ପୁଣି କଣ ? କେଉଁ ଅଭାଗିନୀର ସର୍ବନାଶ ।

 

( ଶୈବ୍ୟା ପୁତ୍ର ଘେନି ଗୀତ ଗାଇ ଗାଇ ପ୍ରବେଶ )

(ଗୀତ)

କେଣେ ଗଲୁ ଛାଡ଼ି,      ଅନ୍ଧର ଲଉଡ଼ି

ଦୁଃଖହରା ଦୁଃଖି ରତନ,

ରେ ମନ୍ଦ ବିଧାତା            ଏଡ଼େ ତୋ କପଟ

ଗୁପ୍ତ କଲୁ ଚନ୍ଦ୍ର ବଦନ ।।

 

ମୋ ବାପ ଧନରେ ମୋତେ କୁଆଡ଼େ ଛାଡ଼ିଗଲୁ, କିଏ ତୋତେ କୁଆଡ଼େ ହରିନେଲା, ଏ ଦୁଃଖିନୀ କାଙ୍ଗାଲୁଣୀକୁ ଛାଡ଼ି କୁଆଡ଼େ ଗଲୁରେ । ହା ବିଧାତା !

 

ଅଲ୍ୟଳ ଧନକୁ            ଅନଳେ ଦେଇ,

କିପରି ବଞ୍ଚିବି କା ମୁଖ ଚାହିଁ ।

ପୁଛିଲେ ଜୀବଶେ            କାହିଁ ରୋହିତାଶ୍ୱ,

କି କହିବି ତାଙ୍କୁ ବଚନ ॥

 

ମୋ ବାପାଲୋ, ତୋ ସୁନା ଦେହକୁ କିପରି ନିଆଁରେ ପକାଇବି । ଏଇଲାଗେ ପରା ଖୁଦଯାଉ ଟିକିଏ ଖାଇ ଫୁଲ ତୋଳିବାକୁ ଗଲା, ଚନ୍ଦ୍ରବଦନ କ’ଣ ନାହିଁ, ନା, ମୋର ଭ୍ରମ ହୋଇଛି, ମୋ ପୁଅ ଶୋଇଛି । ଉଠିବ ମୋ ବେକ ଧରି ଲାଉ ହୋଇ ପଡ଼ିବ ।

ହରିଶ୍ଚନ୍ଦ୍ର

ପାଗଳିଣି; ଶୋଇଛି ସତ ଏ ବଡ଼ ମଜାର ଶୁଆ । ଏ ନିଦ ଦିନେ ଆସେ । ସବୁଦିନେ ଏପରି ନିଦ ହୁଏ ନାହିଁ, ସମସ୍ତେ ଚେଇଁଥାନ୍ତି କିନ୍ତୁ କେଜାଣି କାହିଁକି ଜଣେ ଜଣେ ଏପରି ଶୁଆ ଶୋଇପଡ଼ନ୍ତି ।

ଶୈବ୍ୟା

ବିଶ୍ୱନାଥ ! ଦୁଧଖିଆ ପିଲା ମୋର ତୁମ୍ଭ ବେଲଗଛ, ମୂଳରେ କି ଅପ୍ରାଧ କଲା ଯେ ପ୍ରଭୁ ସେଇଠି ତାକୁ

ହରି

ସର୍ପଘାତ, ଯମରାଜ୍ୟରେ ପ୍ରବେଶ କରିବା ଲାଗି ଯମର ଅସଂଖ୍ୟ ଦ୍ୱାର ଅଛି । ଲୋକେ କହନ୍ତି ବ୍ରହ୍ମଶାପ ନ ହେଲେ ସର୍ପଘାତ ହୁଏ ନାହିଁ । ଜ୍ଞାନ ହୀନ ସୁକୁମାର ଶିଶୁକୁ କାହିଁକି ସର୍ପଘାତ ହେଲା ? କର୍ମ ଫଳ; ନିଶ୍ଚୟ କର୍ମ ଫଳ ।

ଶୈବ୍ୟା

ଓହୋ ! ହେ, କେବେ କେତେବେଳେ ଦେଖାହେବ । ଯେବେ କେତେବେଳେ ଆସି ପୁଅକୁ ମାଗିବେ କଅଣ ତାଙ୍କ କୋଳରେ ଦେବି ।

ହରି

ଆହା, ଏ ଅଭାଗିନୀଟି କିଏ ସେ । ଏ କଣ ସ୍ୱାମୀ ପରିତ୍ୟକ୍ତା । ଆହା, ମୋର ଗୋଟିଏ ଗଚ୍ଛିତ ଧନ ଜଣଙ୍କ ଜିମାରେ ଅଛି, ଜଗଦୀଶ ଏ କାତରା କାମିନୀ କ୍ରନ୍ଦନ ଶୁଣି ମୋ ହୃଦୟ ବିଚଳିତ ହେଉଅଛି କାହିଁକି ?

ଶୈବ୍ୟା

ଓହୋ ! କି ଭୀଷଣ କି ଘୋର ଅନ୍ଧକାର ରଜନୀ । ଓହୋ ବିଧାତା, ତୁ ଆଉ ମୋତେ କଣ ଦେଖାଇବୁ ? ବିପରୀତ ପଥ ତ ଢେର ଦେଖାଇଲୁ । ଏହି ଆକାଶରେ ସୁଧାମୟ ଜ୍ୟୋସ୍ନା କିରଣ ଲହରୀ ଦେଖନ୍ତି । ଆଜି ପୁଣି କପାଳ କରାଳ ଛାୟା ଦାନବର ଅନଳଫୁକ୍କାର ଦେଖୁଛି । ଆଉ କଣ ଦେଖାଇବୁ ଯେ ଆଖି ଠାରିଦେଲେ ସହସ୍ର ଦାସ ଦାସୀ ।

ରାଜା

ଏ କିଏ, ଏ କିଏ ସେ, ଜଗତରେ କଣ ଆହୁରି ହରିଶ୍ଚନ୍ଦ୍ର ଅଛନ୍ତି; ଶୈବ୍ୟା ଅଛି, ରୋହିତାଶ୍ୱ ଅଛି । ଅଦୃଷ୍ଟ ଏକ ନାବରେ କେତେ ରାଜା ରାଣୀଙ୍କୁ ଭସାଇଛୁ ?

 

ଗୀତ

ହା ବିଧାତା ଏ କେଉଁ କଥା

ଦୁନିଆଟା ବସାଇଛୁ ଏକ ନଉକା

କାଳ ତୋ ପାଲୁ ଉବୁରି ଅଛି କେ ଧଇର୍ଯ୍ୟ ଧରି

ହେଳେ ତୁ ବିନାଶ କରି ବୁଡ଼ାଉ ତା ଜୀବିକା ॥

ଓହୋ, ମୋର ହୃଦୟଟା ଏପରି ଅସ୍ଥିର ହେଉଛି କାହିଁକି, ଥାଉ ହୃଦୟ ତୋର କର୍ତ୍ତବ୍ୟ ପାଳନ କର ଅଭାଗିନୀ ! ମୋ ପଇସା ଦିଅ, ତୁମ୍ଭେ ଯାଅ ମୁଁ ମୋର କାର୍ଯ୍ୟ କରିବି ।

 

ଶୈବ୍ୟା

ଚଣ୍ଡାଳ ମୋର ଗୋଟିଏ ନିବେଦନ ଘେନା କର ।

ଗୀତ

ଅଭାଗିନୀ ନାରୀ ମୁଁ ହୀନକର୍ମା,

ହାରିଛି ମୋ କୋଳ କୁଳ ଚନ୍ଦ୍ରମା ।

ମୁଁ କ୍ଷତ୍ରିୟ ବାମା କରନ୍ତୁ କରୁଣା

ନ ଛୁଅନ୍ତୁ ମୋର ନନ୍ଦନ ॥

ଚଣ୍ଡାଳ ଏ କ୍ଷତ୍ରିୟ ସନ୍ତାନକୁ ଚଣ୍ଡାଳକୁ ଛୁଇଁବାକୁ ଦେବି ନାହିଁ ।

 

ହରି

କ୍ଷତ୍ରିୟ ! ୟାର ପିତା ଜୀବିତ ନା

ଶୈବ୍ୟା-       ଗୀତ

କହନା କହନା ତୁରେ ଚଣ୍ଡାଳ,

ସେତିକି ଅଛି ମୋ ମଥା ସିନ୍ଦୂର,

ବିଧାତା ହୃଦର ହେଲି ନାରଖାର

ସହିବାକୁ ଅଛି କଷଣ ॥

କେବଳ ମଥାରେ ସିନ୍ଦୂର ଟୋପାଏ ଅଛି ।

 

ରାଜା

ସେ ଜୀବିତ, ଏପରି ସମୟରେ ସର୍ବସ୍ୱ ତ୍ୟାଗ କରି ଶ୍ମଶାନକୁ ଦଉଡ଼ି ଆସୁ ନାହିଁ, କିପରି ପିତା ସେ ଆଚ୍ଛା ସ୍ୱାମୀ ତ ସେ ।

ଶୈବ୍ୟା

ଭଦ୍ର ! ସଦୟ ହୋଇ ନିର୍ଦ୍ଦୟ ହେଉଛ କାହିଁକି, ପୁତ୍ରହରା କାଙ୍ଗାଳିଣୀକି ପତି ନିନ୍ଦା ଶୁଣାଉଛ କାହିଁକି ?

ରାଜା

ପରାହତେ, ମୋର ଅପ୍ରାଧ କ୍ଷମାକର, ଗୋଟାଏ ପୁତ୍ରକଥା ମନେ ପଡ଼ିବାରୁ ମୋ’ ମନ ଠିକ୍‍ ନଥିଲା ।

ଶୈବା

ଚଣ୍ଡାଳ ତୁମ୍ଭ ଜାତିର ଲୋକେ ଘାଉଡ଼ ଝାଡ଼ି ଜାଣନ୍ତି । ଦୟାକରି ଦେଖିଲ କାଳେ ଜୀବନ କେଉଁଠି ଅଟକିଥିବ । ମୁଁ ମୁହଁରୁ ଲୁଗା କାଢ଼ି ଦେଉଛି ।

ହରି

ଏ କ’ଣ ଏ କ’ଣ ? ନା ନା, ନିଦ୍ରିତ ଆଉଥରେ ଦେଖେ ଆଉଥରେ । ଭଗବାନ ମୋର ତ ସର୍ବସ୍ୱ ଯାଇଛି ମୋର ପର ଲୋକ ନିଅ ଯାହା ଭାବୁଛି ଯେବେ ତାହା ହୋଇଥାଏ ତେବେ ମସ୍ତକରେ ବଜ୍ରାଘାତ କର ।

ଶୈବ୍ୟା

ତୁମ୍ଭେ କିଏ ତୁମ୍ଭେ କାହିଁକି ଏପରି ହେଲ ।

ରାଜା

ତୁମ୍ଭେ କିଏ, ମୁଁ ତ ଦେଖିଲା ପରି ଜଣାଯାଉଛି, କହ ତୁମ୍ଭେ ସ୍ପଷ୍ଟକରି କହ । କହିଲ ଭଲା ତୁମ୍ଭନାମ ଶୈବ୍ୟା ନୁହେ ତ ? କହିଲ ଭଲା ହରିଶ୍ଚନ୍ଦ୍ର ବୋଲି କାହାକୁ ଚିହ୍ନ, କି ନାହିଁ ? ତୁମ୍ଭର ରୋହିତ ବୋଲି ପୁତ୍ର ଥିଲା କି ନାହିଁ ।

ଶୈବ୍ୟା

ଥିଲା, ଥିଲା ଆଉ ନାହିଁ । ତୁମ୍ଭେ କିଏ ସେହି ମହାରାଜ, ମୋର ହୃଦୟ ଈଶ୍ୱର ।

ରାଜା

ଛୁଅଁନା ଛୁଅଁନା । ସ୍ତ୍ରୀ ପୁତ୍ର ବିକ୍ରୟକାରୀ ଚଣ୍ଡାଳକୁ ଛୁଅଁନା ବିଶ୍ୱାମିତ୍ର, ବିଶ୍ୱାମିତ୍ର, କ୍ଷତ୍ରିୟ ତ୍ୟାଗୀକ୍ଷତ୍ରିୟ ହିଂସୁକ, ଆହୁରି ଦକ୍ଷିଣା ବାକି ଅଛି ଭାଗୀରଥି ଜଳତଳେ ଅନ୍ୱେଷଣ କର, ପାଇବୁ ।

ଶୈବ୍ୟା

ନାଥ କ’ଣ କରୁଛ, ଶୈବ୍ୟାର କ’ଣ ଶେଷ ବୈଧବ୍ୟା ଘଟାଇବ । ମୁଁ ପୁତ୍ରକୁ ନେଇ ଆଗ ଡେଇଁ ପଡ଼ୁଛି । ତେଣିକି ଇଚ୍ଛା ଯାହାକର ।

ହରି

ତୁମ୍ଭେ ତୁମ୍ଭର ଖାମିଦର ଅନୁମତି ପାଇଛ ।

ଶୈବ୍ୟା

ତୁମ୍ଭେ ପାଇଛ ?

ହରି

ମରିବା ହେଲା ନାହିଁ, ଛାତି ଫାଟିଗଲା, କ’ଣ କରିବି କହ, ଶୈବ୍ୟା ପୁଣି ପ୍ରଭାତ ଆଲୋକ ଆସୁଛି ସଂସାରକୁ ଦେଖିବାକୁ ପଡ଼ିବ ।

ବିଶ୍ୱାମିତ୍ର

ଅବଶ୍ୟ ଦେଖିବ, ସଂସାର ଘୋର ଘଟନାବୃତ୍ତ ଦେଖିଲ କୌମୁଦି ହାସ୍ୟରାଶି ଭାଷିତ ପୂର୍ଣ୍ଣିମା ଦେଖିବ ନାହିଁ ? ପୁତ୍ର ମୁଖ ଚୁମ୍ୱନ ନୁହେଁ ।

ରାଜା

ଋଷି ବିଦ୍ରୁପର ସମୟ ନୁହେଁ ।

 

(ବ୍ରାହ୍ମଣ ବେଶେ ଧର୍ମଙ୍କ ପ୍ରବେଶ)

ଧଃବ୍ରା

(ସ୍ୱଗତଃ) ଯାଏଁ ରାଜା ହରିଶ୍ଚନ୍ଦ୍ର ତ ମୋ’ଠାରେ ନିର୍ଭର ରଖି ଏତେ ସରି ହେଲା, ଶେଷରେ ପୁଣି ପୁତ୍ରହରା ହେବାଟା ମୋତେ ବଡ଼ ବାଧୁଛି । ବର୍ତ୍ତମାନ ଯାଇଁ ତାର ପୁତ୍ର ରୋହିତାଶ୍ୱକୁ ବଞ୍ଚାଇ ଆସିବି । (ନିକଟକୁ ଯାଇଁ) କିହେ ଭାଇ ! ତୁମ୍ଭେମାନେ ଏଠାରେ କ’ଣ କରୁଛ !

ହରି

ଆପଣ କିଏ, କି ନିମିତ୍ତ ଏ ତସମାଚ୍ଛନ୍ନ ଘୋର ଗମ୍ଭୀର ନିଶାରେ ଏଠାରେ ଉପଗତ ?

ଧଃବ୍ରା

ଆମ୍ଭେ ଜଣେ ଗରିବ ଭିକ୍ଷୁକ ବ୍ରାହ୍ମଣ । କିଛି ପାଇବା ଆଶାରେ ଆସିଥେଇଁ କିଛି ଦେଇ ପାରିବ କି ?

ହରି

ଆମ୍ଭଠାରେ କଣ ବା ଅଛି ଯେ ଆପଣଙ୍କୁ ଦେବୁ, ନିଜସ୍ୱ କିଛି ହିଁ ନାହିଁ ।

ଧଃବ୍ରା

ନିରାଶ କରନା, ଏ ଗରିବ ବ୍ରାହ୍ମଣ ତିନିଦିନର ଉପବାସ କିଛି ନ ଦେଲେ ନିଶ୍ଚୟ ପ୍ରାଣ ବାୟୁ ବାହାରିଯିବ ।

ହରି

ନିରୁପ୍ରାୟ ବ୍ରାହ୍ମଣ ।

ଧଃବ୍ରା

ନିରୁପ୍ରାୟ ? ମିଥ୍ୟା ଛଳନା ମାତ୍ର, ଥିଲେ କଣ ହେବ ଦେବାକୁ ଇଚ୍ଛା ନାହିଁ ।

ହରି

ପଟାଦାରର ମହାସୁଲ ଚାରି କାହାଣ କଉଡ଼ି, କିନ୍ତୁ ସେ ତ ମୋର ନୁହେଁ ।

ଧଃବ୍ରା

ତୁମ୍ଭ ପାଖରେ ଥିବାତକ ତୁମ୍ଭର, ସଂସାରରେ ସ୍ଥିର ହୋଇ ଗୋଟାଏ କାହାର କିଛି ନଥାଏ । ଯେତେବେଳେ ଯାହା ପାଖରେ ଥାଏ ସେ ତାର । ଥାଉ ଥାଉ ନାହିଁ କରୁଛ ଏ କି ଅବିଚାର କଥା ?

ହରି

ପର ଧନରେ ଧର୍ମ କରିବା ଉଚିତ କି ?

ଧଃବ୍ରା

ଦେବ, ଦିଆଇବ, ଦୁଇଥିରେ ପୁଣ୍ୟ ଶାସ୍ତ୍ର ସମ୍ମତ । ତୁମ୍ଭେ ତା ପରଧନ ବୋଲି ଅସଦ୍‍ବ୍ୟୟ କରୁନାହଁ, ସତ୍‍ବ୍ୟୟରେ ଲଗାଇଲେ ଉଭୟଧର୍ମ ।

ହରି

ଯଦି ଆପଣଙ୍କ ବିଚାରରେ ପାପା ନହେବ ତେବେ ଆବଶ୍ୟକ ମୋତେ ଦିଅନ୍ତୁ ମୁଁ ଧନ ସ୍ୱାମୀଙ୍କି ଜଣାଇବି, ଯାହା ବିଚାର କରିବେ ।

ଧଃବ୍ରା

ଆଚ୍ଛା, ଏ ପିଲାଟି କିଏ ? ଏଠାରେ ଶୋଇଛି କାହିଁକି ?

ହରି

ପୁତ୍ରରୂପେ ଜନ୍ମ ହୋଇଥିଲା, ବର୍ତ୍ତମାନ କେହି ନୁହେଁ, ଶୋଇ ନାହିଁ ଏ ସଂସାରର ଲୀଳା ତ୍ୟାଗ କରିଛି ।

ଧଃବ୍ରା

ତେବେ କିପରି ମଲା ?

ହରି

ସର୍ପାଘାତରେ ।

ଧଃବ୍ରା

ତେବେ ତୁମ୍ଭମାନଙ୍କର ମୁର୍ତିକାଶୌଚ, ତୁମ୍ଭଠାରୁ କିପରି ଦାନ ଗ୍ରହଣ କରିବା ।

ହରି

ସେ କଥା ଆପଣ ଜାଣନ୍ତି ?

ଧଃବ୍ରା

ଆମ୍ଭେ ଗୋଟିଏ ମନ୍ତ୍ର ଜାଣୁ ଚେଷ୍ଟା କରିବା କାଳେ ବଞ୍ଚପାରେ ।

 

(ଝାଡ଼ିବାରୁ ରୋହିତ ଉତ୍‍ଥାନ ଧର୍ମର ଅନ୍ତର୍ଦ୍ଧାନ)

ମାଧବ

(ନେପଥ୍ୟେ) ଏତେ ବେଳଯାଏ କୁଆଡ଼େ ଗଲା, କହୁ ତ ଥିଲା ପୁଅ ସଙ୍ଗରେ ପ୍ରାଣ ହରାଇ ଦେବ ବୋଲି ସେଇଆ କଲାକି ? ମୋର ଟଙ୍କାଗୁଡ଼ାକ ପାଣିରେ ପଡ଼ିଲା କି ! ଯାଏଁ ଶ୍ମଶାନ ଦେଖେ ।

 

( ଶ୍ମଶାନର ପ୍ରବେଶ )

 

ରୋହିଆ ମାଲୋ ! ଲୋ ରୋହିଆ ମା !

ଶୈବ୍ୟା

ଆଜ୍ଞା ମହାପ୍ରଭୁ !

ମାଧବ

(ସ୍ୱଗତ) ଆରେ ବାଃ, ସହଜେ ବ୍ରାହ୍ମଣ କଉଡ଼ି କି ବୁଡ଼ିବ ? ଯେଉଁଠି ପଡ଼ିବ ସେଠୁ ପୁଳାଏ ମାଟି ଘେନିକରି ଉଠିବ । ରୋହିଆ ମା’ ପୁଅ ତ ତୋର କ’ଣ ଉଠାବସା ହେଲାଣି । (ବିଶ୍ୱାମିତ୍ର ପ୍ରତି) କିହେ ବେପାରୀ ମହାରାଜ, ଆପଣ ଏଠାରେ କି ନିମିତ୍ତ ଉପସ୍ଥିତ ? ଆଉ ଏ ପୁଣି କିଏ ?

ଶୈବ୍ୟା

ଏ ମୋର ସ୍ୱାମୀ ଓ ତପୀବର ରାଜର୍ଷି ।

 

( ହାଡ଼ି ପ୍ରବେଶ )

ବିଶ୍ୱା

ହରିଶ୍ଚନ୍ଦ୍ର ମୁଁ ବର୍ତ୍ତମାନ ପରାଜୟ ସ୍ୱୀକାର କରିବାକୁ ଆସିଛି, ଯଦି ମୋର ତପର କିଛି ପ୍ରଭାବ ଥାଏ, ତୁମ୍ଭେ ପୁତ୍ର ମସ୍ତକରେ ରାଜ ମୁକୁଟ ଦେଖି ସ୍ୱଶରୀରେ ସ୍ୱର୍ଗକୁ ଯାଅ ।

ହରି

ଶୈବ୍ୟା ( ଆଣ୍ଠୁମାଡ଼ି )

 

( ହାଡ଼ି ଧର୍ମରୂପ ଓ ମାଧବ ଅଗ୍ନିରୂପ ଧାରଣ )

ବିଶ୍ୱା

କି ଦେବ ! ଆର୍ଶୀର୍ବାଦ କରିବାକୁ ଆସିଲ, ଆପଣଙ୍କ ସେବାକରି କି ଦୁର୍ଦ୍ଦଶା ଭୋଗ କଲେ ?

ଧର୍ମ

ପୁଣି ବର୍ତ୍ତମାନ କଣ ହେଲା, ସ୍ୱଶରୀରରେ ସ୍ୱର୍ଗଲାଭ, ମୃତ ପୁତ୍ରର ଜୀବନ ଦାନ କାହା ପ୍ରଭାବରୁ ?

ବିଶ୍ୱା

ନିଶ୍ଚୟ ଦାତା ହରିଶ୍ଚନ୍ଦ୍ର ଆଜି ଧର୍ମ ବଳରେ ମୋତେ ପରାଜିତ କରିଛି ।

 

ଜୟ ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କର ଜୟ ।

 

( ଯତୋ ଧର୍ମସ୍ତତୋ ଜୟ )